ଅନ୍ୟାନ୍ୟ

ବଇଣ୍ଡାରେ ନୂଆଁଖାଇ ଭେଟଘାଟ, ସେବା ଓ ଭାଇଚାରାର ବାର୍ତ୍ତା ଦେଲା ଅସହାୟ ସହାୟତା କମିଟି

By Angul TV Bureau

October 26, 2026

ଅନୁଗୋଳ: ନୂଆଁଖାଇର ଭାଇଚାରା, ଏକତା ଓ ମାନବିକ ସେବାର ବାର୍ତ୍ତା ନେଇ ବଇଣ୍ଡା କଲ୍ୟାଣ ମଣ୍ଡପ ପରିସରରେ ଅସହାୟ ସହାୟତା କମିଟି, ବଇଣ୍ଡାର ବାର୍ଷିକ ନୂଆଖାଇ ଭେଟଘାଟ ଆୟୋଜିତ ହୋଇଛି। ଉତ୍ସାହ ଓ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ଏହି ସମାରୋହରେ ବହୁ ଶିକ୍ଷାବିତ୍‌, ସମାଜସେବୀ, ବୁଦ୍ଧିଜୀବୀ ଓ ସଚେତନ ନାଗରିକ ଯୋଗଦେଇଥିଲେ।

ପାରମ୍ପରିକ ବାଦ୍ୟ ଓ ସ୍ୱାଗତ ସଙ୍ଗୀତ ମଧ୍ୟରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ୱଳନ ଓ ପୁଷ୍ପାର୍ପଣ କରାଯାଇଥିଲା। ପରେ କମିଟିର ପ୍ରତିଷ୍ଠାତା ସ୍ୱର୍ଗତ ପ୍ରଦୀପ ଘିବାଲା ଓ ବରିଷ୍ଠ ସଦସ୍ୟ ଗୁଣନିଧି ପ୍ରଧାନଙ୍କ ସ୍ମୃତିରେ ନିରବ ପ୍ରାର୍ଥନା କରାଯାଇଥିଲା।

ଶିକ୍ଷାବିତ୍‌ ରମେଶ ଚନ୍ଦ୍ର ମିଶ୍ର ମଞ୍ଚ ପରିଚାଳନା କରିବା ସହ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। କମିଟିର ସ୍ଥାୟୀ ସଭାପତି ତଥା ମୁଖ୍ୟମନ୍ତ୍ରୀ ପୁରସ୍କାରପ୍ରାପ୍ତ ଶିକ୍ଷାବିତ୍‌ କ୍ଷୀରେନ୍ଦ୍ର ମୋହନ ଦେହୁରୀ ସଭାପତିତ୍ୱ କରିଥିଲେ। ଅନୁଗୋଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କମିଟିର ସେବାମୂଳକ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ୧୩ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ସଭ୍ୟା ବିଷ୍ଣୁପ୍ରିୟା ପ୍ରଧାନ, ସମାଜସେବୀ ରଣଜିତ ପଟ୍ଟନାୟକ, ମନୋଜ ମହାପାତ୍ର, କିଶୋରନଗର ମହାବିଦ୍ୟାଳୟ ଅଧ୍ୟକ୍ଷ ଅକ୍ଷୟ କୁମାର ଦାସ, ଜନତା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ଧୀର ବିଶୋଇ ଓ ତାଳଚେରର ସମାଜସେବୀ ବାପି ମହାନ୍ତି ଯୋଗଦେଇଥିଲେ। ହାସ୍ୟ ଅଭିନେତା ମିଟୁ ମିଥୁନ ମଧ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ।

ଅତିଥିମାନେ ନୂଆଖାଇ ପର୍ବର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହ ସମାଜର ଅସହାୟ, ଦୁଃଖୀ ଓ ନିଷ୍ପେଷିତ ଲୋକଙ୍କୁ ବିପଦ ସମୟରେ ସହଯୋଗ କରିବା କମିଟିର ମୁଖ୍ୟ ଲକ୍ଷ୍ୟ ବୋଲି କହିଥିଲେ। ଏ ଅବସରରେ ନିଃସ୍ୱାର୍ଥପର ସେବା ଯୋଗାଇ ଆସୁଥିବା ତାଳଚେର ବିରାଦରପଡ଼ାର ସାପ ଧରାଳି ତଥା ସମାଜସେବୀ ସଞ୍ଜୟ କୁମାର ମହାପାତ୍ର ଏବଂ ବୌଦ୍ଧ ଜିଲ୍ଲାର ସମାଜସେବୀ ଓ ଇଞ୍ଜିନିୟର ସଞ୍ଜୟ କୁମାର ପଣ୍ଡାଙ୍କୁ କମିଟି ପକ୍ଷରୁ ମାନପତ୍ର ଓ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଞ୍ଜୟ ପଣ୍ଡା ୧୩୨ ଥର ରକ୍ତଦାନ କରିଥିବା ଉଲ୍ଲେଖ କରାଯାଇଛି।

କମିଟିର ସମ୍ପାଦକ ଧୋବେଇ ବେହେରା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। କୋଷାଧ୍ୟକ୍ଷ ଦୀପକ କୁମାର ସାହୁଙ୍କ ସମେତ ଅର୍ଜୁନ ସାହୁ, ରାମଚନ୍ଦ୍ର ପ୍ରଧାନ, ରମେଶ ଚନ୍ଦ୍ର ତିବରୁୱାଲା, ଲୋକନାଥ ସାହୁ, ସନ୍ତୋଷ ସାହୁ, ଖିରେନ୍ଦ୍ର ବେହେରା, ବିନୟ ବିଶ୍ୱାଳ, ବିବେକାନନ୍ଦ ବିଶ୍ୱାଳ ଓ ସୋଲଣ୍ଡା ଯୁବକ ସଂଘର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।