ମୁଖ୍ୟ ଖବର

ତାଳଚେର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ହସ୍ପିଟାଲରେ ନକଲି ସାର୍ଟିଫିକେଟ୍ ମାମଲା: ନର୍ସଙ୍କୁ କାର୍ଯ୍ୟରୁ ବହିଷ୍କାର

By Angul TV Bureau

June 08, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ତାଳଚେର ସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ହସ୍ପିଟାଲରେ ନିୟୋଜିତ କିଛି ନର୍ସଙ୍କ ଶିକ୍ଷାଗତ ଓ ବୃତ୍ତିଗତ ପ୍ରମାଣପତ୍ର ନକଲି ଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଅନୁଗୋଳ ଜିଲ୍ଲା ପ୍ରଶାସନ ତତ୍ପର ହୋଇଉଠିଛି। ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଜିଲ୍ଲାପାଳ ମହାନଦୀ କୋଲଫିଲ୍ଡ ଲିମିଟେଡ (MCL) କର୍ତ୍ତୃପକ୍ଷଙ୍କୁ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଶାସନର କାର୍ଯ୍ୟାନୁଷ୍ଠାନ ପରେ, ସମ୍ପୃକ୍ତ ନର୍ସମାନଙ୍କୁ ତୁରନ୍ତ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଛି ଏବଂ ସେମାନଙ୍କ ଡେପୁଟେସନ୍ ରଦ୍ଦ କରାଯାଇଛି। ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଥିବା ବେଳେ ସମସ୍ତ ପ୍ରମାଣପତ୍ରର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିସହିତ, ମାମଲାଟି ଭିଜିଲାନ୍ସ ଓ ସ୍ଥାନୀୟ ପୋଲିସକୁ ଅବଗତ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଏହି ନର୍ସମାନେ ସରକାରଙ୍କ ଦ୍ଵାରା ନୁହେଁ, ବରଂ MCL ଦ୍ଵାରା ଏକ ଆଉଟସୋର୍ସିଂ ଏଜେନ୍ସି ଜରିଆରେ ନିୟୋଜିତ ହୋଇଥିଲେ। ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି ଯେ, ତଦନ୍ତ ପରେ ଦୋଷୀ ସାବ୍ୟସ୍ତ ହେଲେ ସମ୍ପୃକ୍ତ ଏଜେନ୍ସି କିମ୍ବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରୋଗୀଙ୍କ ସୁରକ୍ଷା ପାଇଁ କର୍ତ୍ତୃପକ୍ଷ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।