ମୁଖ୍ୟ ଖବର

ଅନୁଗୋଳ ମେଡିକାଲ କଲେଜରେ ନର୍ସିଂ ପ୍ରମାଣପତ୍ର ଜାଲିଆତି: ବିଜେଡିର ଉଚ୍ଚସ୍ତରୀୟ ତଦନ୍ତ ଦାବି

By Biswaranjan Pattnaik

June 08, 2026

ଅନୁଗୋଳ: ଅନୁଗୋଳ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜରେ ନର୍ସିଂ ପ୍ରମାଣପତ୍ର ଜାଲିଆତି ଘଟଣାକୁ ନେଇ ଜିଲ୍ଲା ବିଜେଡି ତୀବ୍ର ବିରୋଧ ପ୍ରଦର୍ଶନ କରିଛି। ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ବ୍ରଜକିଶୋର ପ୍ରଧାନ ଅଭିଯୋଗ କରିଛନ୍ତି ଯେ, ଆଉଟସୋର୍ସିଂ ମାଧ୍ୟମରେ ନିଯୁକ୍ତ ୯୦ ଜଣ ନର୍ସଙ୍କ ମଧ୍ୟରୁ ୬୦ ଜଣଙ୍କ ପ୍ରମାଣପତ୍ର ନକଲି।

ଏହି ଘୋଟାଲାରେ କମାଣ୍ଡୋ ସିକ୍ୟୁରିଟି ସଂସ୍ଥା ସହ କ୍ଷମତାସୀନ ଦଳର ରାଜନେତାଙ୍କ ସଂପୃକ୍ତି ଥିବା ସନ୍ଦେହ କରି ବିଜେଡି ଏକ ହ୍ଵାଟସଆପ୍ ଚାଟିଂର ସ୍କ୍ରିନସଟ୍ ଆଧାରରେ ଏହି ଅଭିଯୋଗ ଆଣିଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅବହେଳା ପାଇଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କହି ବିଜେଡି ଏହାର ବିଚାରବିଭାଗୀୟ ତଦନ୍ତ ଦାବି କରିଛି। ତୁରନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଦଳ ଚେତାବନୀ ଦେଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ରଜନୀକାନ୍ତ ସିଂହ, ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ ଓ ଅନୁଗୋଳ ଓକିଲ ସଂଘ ସଭାପତି ଦିଲୀପ କୁମାର ସାହୁଙ୍କ ସମେତ ଦଳୀୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।