ମୁଖ୍ୟ ଖବର

ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ବି.ଇଡି କଲେଜରେ ସ୍ୱତନ୍ତ୍ର ଆଲୋଚନା ଚକ୍ର

By Biswaranjan Pattnaik

January 27, 2024

ଅନୁଗୁଳ: ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ନୂଆ-ଓ ଆନୁକୂଲ୍ୟରେ ବିଶ୍ୱ ଓଡି଼ଆ ଭାଷା ସମ୍ମିଳନୀ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରିପ୍ରେକ୍ଷୀରେ ଏକ ସ୍ୱତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ଦ୍ରୌପଦୀ ପଟେଲଙ୍କ ଅଧ୍ୟକ୍ଷତାରେ “ସାମ୍ପ୍ରତିକ ଯୁବଚେତନା : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି” ପ୍ରସଙ୍ଗରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ବିଚାରକ ଭାବରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ ଦଧିବାବନ ପ୍ରଧାନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ କୁମାର ପାଣିଗ୍ରାହୀ, ବରିଷ୍ଠ ଶିକ୍ଷୟିତ୍ରୀ ତଥା ସାହିତ୍ୟ ସାଧିକା ଦୀପ୍ତିମୟୀ ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ।

ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବି.ଇଡି ପ୍ରଥମ ବର୍ଷରୁ ସଂଜତ କୁମାର ବାରିକ, ମୁକୁନ୍ଦ ବେହେରା, ରଞ୍ଜିତ ଲେଙ୍କା ଓ ବାଦଲ କୁମାର ଦାଶ ପ୍ରମୁଖ ଓଡି଼ଆ ସାହିତ୍ୟର ଗୌରବମୟୀ ଇତିହାସ ଓ ଏହାର ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇଥିଲେ। ସେହିପରି ବି.ଇଡି ଦ୍ୱିତୀୟ ବର୍ଷର ସର୍ବେଶ୍ୱର ରାଉତ, ଓଡି଼ଆ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଆଜିର ଯୁବସମାଜର ମାନସିକତା ଉପରେ ନିଜର ଅଭିମତ ରଖି ଓଡି଼ଆ ଅସ୍ମିତା ସଂରକ୍ଷଣ ପାଇଁ ଆହ୍ୱାନ ଦେଇଥିଲେ।

ନୂଆ ଓ ଓଡି଼ଆ ଭାଷା ସାହିତ୍ୟ ପ୍ରତିଯୋଗିତାର ନୋଡାଲ୍ ଅଧିକାରୀ ତଥା ସହକାରୀ ପ୍ରଫେସର ବନମାଳୀ ବାଗ ଅତିଥି ପରିଚୟ ପ୍ରଦାନ କରିଥିଲେ। ଯୁଗ୍ମ ଆବାହିକା ଡଃ ଶ୍ରୁତିରୂପା ପଣ୍ଡା ଧନ୍ୟବାଦ ଦେଇଥିବା ବେଳେ ଛାତ୍ର ସଂସଦ ଉପଦେଷ୍ଟା ତଥା ସହକାରୀ ପ୍ରଫେସର ପ୍ରତ୍ୟୁଷ ରଞ୍ଜନ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।