କଳା ଓ ସଂସ୍କୃତି

ମହାଆଡ଼ମ୍ବରରେ ଓଡ଼ିଆ ନବବର୍ଷ ପାଳିଲା ଆମ ସଂସ୍କୃତି, ଯୋଗ ଦେଲେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ

By Angul TV Bureau

April 15, 2024

ଅନୁଗୁଳ: ଅନୁଗୁଳର ଅଗ୍ରଣୀ ସେବା-ସାଂସ୍କୃତିକ ଅନୁଷ୍ଠାନ ଆମ ସଂସ୍କୃତି ପକ୍ଷରୁ ସ୍ଥାନୀୟ ସଭାଘରେ ମହାବିଷୁବ ମିଳନ ମହୋତ୍ସବ ଓ ଓଡ଼ିଆ ନବବର୍ଷ ମହାଆଡ଼ମ୍ବରରେ ପାଳିତ ହୋଇଛି।

ଆମ ସଂସ୍କୃତି ଅନୁଷ୍ଠାନର ସଭାପତି ଆଇନଜୀବୀ ଦ୍ୱାରିକା ପ୍ରସାଦ ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ସମିତିର ସାଧାରଣ ସମ୍ପାଦକ ହେମନ୍ତ କୁମାର ଦାଶ ଯୋଗଦେଇ ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଏବଂ ଓଡିଶାର ଓଡିଶାର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରା ସମ୍ପର୍କରେ ଆଲୋକପାତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସରକାରୀ ଆଇନଜୀବୀ ପରମାନନ୍ଦ ମିଶ୍ର, ଅନୁଗୁଳ ସରକାରୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଶାନ୍ତନୁ କୁମାର ସର, ଅନୁଗୁଳ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସନ୍ତୋଷ କୁମାର ପ୍ରଧାନ, ଅନୁଗୁଳ ଓକିଲ ସଙ୍ଘ ସଭାପତି ଦିଲ୍ଲୀପ କୁମାର ସାହୁ, ପୁରୀସ୍ଥିତ ଆଦିତ୍ୟ ବାହିନୀର ରାଷ୍ଟ୍ରୀୟ ମାଗଦର୍ଶକ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡ଼. କୁଳମଣି ନାୟକ, ଇଂ ରମେଶ ଚନ୍ଦ୍ର ଶାହା, ଶରତ କୁମାର ମାଝୀ, ପ୍ରକାଶ କୁମାର ଗଡ଼ନାୟକ, ମୂର୍ଚ୍ଛନା ପଟ୍ଟନାୟକ, କଳ୍ପମୟୀ ପ୍ରଧାନ, ଗୁରୁ ଅନିତା ରାଜଗୁରୁ, ରାଜ କୁମାର ନାହାକ ଓ ରାଜେନ୍ଦ୍ର କୁମାର ବେହେରା ପ୍ରମୁଖକୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।

କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀ ଚଣ୍ଡିକା ନନ୍ଦଙ୍କ ମେଲୋଡି ଗ୍ରୁପ ପକ୍ଷରୁ ସଂଗୀତ ପରିବେଷଣ ଓ ନିୟୁ କ୍ରିଏସନ ଡ୍ୟାନ୍ସ ଏକାଡେମୀ, ଓଁ କଳାନିକେତନ, କ୍ରିଷ୍ଣା ଡ୍ୟାନ୍ସ ଗ୍ରୁପ ପକ୍ଷରୁ ଓଡ଼ିଶୀ ଓ ସମ୍ବଲପୁରୀ କଳା ନୃତ୍ୟ ପ୍ରଦର୍ଶନ କରାଯାଇଥିଲା।

ଶେଷରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ବସନ୍ତ କୁମାର ଦାସ ଧନ୍ୟବାଦ ଦେଇଥିଲେ। ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡିଶାର ସାଧାରଣ ସମ୍ପାଦକ ରାମକୃଷ୍ଣ ତ୍ରିପାଠୀ ଓ ଅଖିଳ କୁମାର ବେହେରା ମଞ୍ଚ ପରିଚାଳନା କରିଥିଲେ। ଆଇନଜୀବୀ ରାଜେଶ କୁମାର ମିଶ୍ର, ଦେବଜ୍ୟୋତି ରାହୁଲ ଓ ଚିନ୍ମୟ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।