ଅନ୍ୟାନ୍ୟ

ଜାତୀୟ ସ୍ତରରେ ଚମକିଲେ ଓଡ଼ିଆ ସାହିତ୍ୟିକ ଦିନେଶ ମାଳୀ: ଭୋପାଳରେ ‘ସାହିତ୍ୟଶ୍ରୀ ସମ୍ମାନ’ରେ ସମ୍ମାନିତ, ଉନ୍ମୋଚିତ ହେଲା ୩ଟି ପୁସ୍ତକ

By Angul TV Bureau

October 25, 2026

ଅନୁଗୋଳ: ଓଡ଼ିଆ ସାହିତ୍ୟ ଜଗତ ପାଇଁ ଆଉ ଏକ ଗୌରବର ଅଧ୍ୟାୟ ଯୋଡ଼ିଛନ୍ତି ବିଶିଷ୍ଟ ସାହିତ୍ୟିକ, ଗବେଷକ ଓ ଅନୁବାଦକ ଦିନେଶ ମାଳୀ। ମଧ୍ୟପ୍ରଦେଶର ଭୋପାଳଠାରେ ଆୟୋଜିତ ଏକ ଜାତୀୟସ୍ତରୀୟ ସମାରୋହରେ ତାଙ୍କୁ ସମ୍ମାନଜନକ ‘ହରିଶଙ୍କର ଶ୍ରୀବାସ୍ତବ ସ୍ମୃତି ସାହିତ୍ୟଶ୍ରୀ ସମ୍ମାନ’ ପ୍ରଦାନ କରାଯାଇଛି। ସାହିତ୍ୟ ଓ ଅନୁବାଦ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ସଫଳତା ଅନୁଗୋଳ ଜିଲ୍ଲାର କଣିହାଁ ଅଞ୍ଚଳ ସହ ସମଗ୍ର ଓଡ଼ିଶା ପାଇଁ ଗୌରବ ଆଣିଛି।

ଶାନ୍ତି-ଗୟା ସାହିତ୍ୟ, କଳା ଓ କ୍ରୀଡ଼ା ସମ୍ବର୍ଦ୍ଧନ ସମିତିର ବାର୍ଷିକ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଦୁଷ୍ୟନ୍ତ ପାଣ୍ଡୁଲିପି ସଂଗ୍ରହାଳୟର ସଭାଗୃହରେ ଆୟୋଜିତ ଏହି ସମାରୋହରେ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ଗୋବିନ୍ଦ ମିଶ୍ର ସଭାପତିତ୍ୱ କରିଥିବାବେଳେ ବିଶିଷ୍ଟ କବି ରାଜେଶ ଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମଧ୍ୟପ୍ରଦେଶ ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଅନିଲ ବର୍ମା, ଶିଶୁ ସାହିତ୍ୟିକ ସୁରେନ୍ଦ୍ର ବିକ୍ରମ ଓ ହକି ଖେଳାଳି ଅଶୋକ ଧ୍ୟାନଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ସାହିତ୍ୟ, କଳା ଓ କ୍ରୀଡ଼ା କ୍ଷେତ୍ରରେ ଅବଦାନ ପାଇଁ ଏହି ଅବସରରେ ମୋଟ ୧୭ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା।

ଏହି ସମାରୋହରେ ଜୟପୁରର ସାହିତ୍ୟିକ ପ୍ରବୋଧ ଗୋଭିଲଙ୍କୁ ‘ଶାନ୍ତି-ଗୟା ସ୍ମୃତି ଶିଖର ସମ୍ମାନ’ ଏବଂ ଅଶୋକ ଧ୍ୟାନଚାନ୍ଦଙ୍କୁ ଆଜୀବନ କ୍ରୀଡ଼ା ସାଧନା ପୁରସ୍କାର ପ୍ରଦାନ କରାଯାଇଥିଲା। ଅନ୍ୟ ସମ୍ମାନିତ ବ୍ୟକ୍ତିଙ୍କ ମଧ୍ୟରେ ମନୋରମା ପନ୍ତ, ଡକ୍ଟର ମାଳତୀ ବସନ୍ତ, ପଦ୍ମା ଚୌଗାଓଁକର ଓ ସୁଧୀର କୁମାର ପାଣ୍ଡ୍ୟା ପ୍ରମୁଖ ରହିଥିଲେ।

ସମାରୋହର ଅନ୍ୟତମ ଆକର୍ଷଣ ଥିଲା ତିନୋଟି ପୁସ୍ତକର ଉନ୍ମୋଚନ। ଭୋପାଳର ବରିଷ୍ଠ ସାହିତ୍ୟିକ ଅରୁଣ ଅର୍ଣ୍ଣବ ଖରେଙ୍କ ଦୋହା ସଂକଳନ ‘ସାତ ସ୍ୱର ସ୍ନେହ କେ’, ଦିନେଶ କୁମାର ମାଳୀଙ୍କ ସମାଲୋଚନା ପୁସ୍ତକ ‘ବିମଳ ଭଣ୍ଡାରୀ କୀ ରଚନାଧର୍ମିତା’ ଏବଂ ଓଡ଼ିଆରୁ ହିନ୍ଦୀକୁ ଅନୁବାଦିତ ‘ନନ୍ଦିତା ମୋହନ୍ତି କୀ ପ୍ରତିନିଧି କହାନିୟାଁ’ ଏହି ଅବସରରେ ଲୋକାର୍ପିତ ହୋଇଥିଲା। ଅରୁଣ ଅର୍ଣ୍ଣବ ଖରେଙ୍କ ଦୋହା ସଂକଳନରେ ମା’, ଭଉଣୀ, ଭାଉଜ, ପତ୍ନୀ, ଝିଅ, ବୋହୂ ଓ ନାତୁଣୀଙ୍କ ସ୍ନେହ, ମମତା ଓ ଅବଦାନକୁ ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି। ଏହି ସଂକଳନର କେତେକ ମନୋନୀତ ଦୋହାକୁ ଡାକ୍ତରୀ ଛାତ୍ରୀ ଶିବାନୀ ଓଝା ସଙ୍ଗୀତ ମାଧ୍ୟମରେ ପରିବେଷଣ କରିଥିଲେ।

କଣିହାଁ କୋଇଲା ଖଣି କ୍ଷେତ୍ରର ମହାପ୍ରବନ୍ଧକ ଭାବେ କାର୍ଯ୍ୟରତ ଦିନେଶ ମାଳୀ ନିଜର ପେସାଦାର ଦାୟିତ୍ୱ ସହ ସାହିତ୍ୟ ସାଧନା, ଗବେଷଣା ଓ ଅନୁବାଦ କ୍ଷେତ୍ରରେ ନିରନ୍ତର ଅବଦାନ ରଖିଆସିଛନ୍ତି। ତାଙ୍କର ଏହି ଜାତୀୟସ୍ତରୀୟ ସ୍ୱୀକୃତି ଓଡ଼ିଆ ସାହିତ୍ୟର ଗୁରୁତ୍ୱକୁ ଅନ୍ୟ ଭାଷାଭାଷୀ ଅଞ୍ଚଳରେ ପହଞ୍ଚାଇବା ସହ ସାହିତ୍ୟପ୍ରେମୀଙ୍କ ମହଲରେ ଆନନ୍ଦ ସୃଷ୍ଟି କରିଛି।