ମୁଖ୍ୟ ଖବର

କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକରା: ଅନୁଗୁଳରେ ବ୍ୟାପକ ପ୍ରଭାବ

By Angul TV Bureau

January 29, 2026

ଅନୁଗୁଳ: ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାକୁ ସମର୍ଥନ କରି ଆଜି ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାବ୍ୟାପୀ ବନ୍ଦ ପାଳନ କରାଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ କର୍ମୀ ରାଜପଥ ଓ ପ୍ରମୁଖ ଛକମାନଙ୍କରେ ପିକେଟିଂ କରି ବନ୍ଦକୁ ସଫଳ କରିଛନ୍ତି।

ବୁଧବାର ସକାଳୁ ସହରର ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଓ ଶିକ୍ଷାନୁଷ୍ଠାନ ଗୁଡ଼ିକ ପ୍ରାୟତଃ ବନ୍ଦ ରହିଥିଲା। ବସ୍ ଷ୍ଟାଣ୍ଡରୁ ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ ରହିବାରୁ ସାଧାରଣ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ଆମ୍ବୁଲାନ୍ସ ପରି ଜରୁରୀକାଳୀନ ସେବାକୁ ବନ୍ଦରୁ ମୁକ୍ତ ରଖାଯାଇଥିଲା।କଂଗ୍ରେସ ପକ୍ଷରୁ କୃଷକଙ୍କ ପାଇଁ ନ୍ୟାର୍ଯ୍ୟ ଦାବି ସହ ଧାନ କିଣାରେ ଅବ୍ୟବସ୍ଥା, ବର୍ଦ୍ଧିତ ବିଜୁଳି ଶୁଳ୍କ, ଯାନବାହନ ଯାଞ୍ଚ ନାଁରେ ମାତ୍ରାଧିକ ଜୋରିମାନା ଏବଂ ମନରେଗା ଯୋଜନାର ଅବହେଳାକୁ ନେଇ ସରକାରଙ୍କ ବିରୋଧରେ ଗର୍ଜିଥିଲେ କଂଗ୍ରେସ ନେତା।କୌଣସି ଅପ୍ରୀତିକର ପରିସ୍ଥିତିକୁ ରୋକିବା ପାଇଁ ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ଶିଳ୍ପାଞ୍ଚଳ ଓ ନାଲକୋ ପ୍ଲାଣ୍ଟ ଉପରେ ଏହି ବନ୍ଦର କୌଣସି ବିଶେଷ ପ୍ରଭାବ ପଡ଼ିନାହିଁ। ଏହି ଆନ୍ଦୋଳନରେ ଜିଲ୍ଲାର ବହୁ ଯୁବ, ଛାତ୍ର ଓ ମହିଳା କଂଗ୍ରେସ କର୍ମୀ ସକ୍ରିୟ ଅଂଶଗ୍ରହଣ କରିଥିଲେ।