ଅନୁଗୁଳ: ଓଡ଼ିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ବୁଧବାର ଅନୁଗୁଳରେ ମହାସମାରୋହରେ ପାଳିତ ହୋଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇ ଓଡ଼ିଶାର ବରପୁତ୍ରମାନଙ୍କର ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି ଅବସରରେ ସ୍ଥାନୀୟ ସଭାଘର ଠାରେ ଆୟୋଜିତ ଏକ ସାଧାରଣ ସଭାରେ ସେ ଯୋଗ ଦେଇ ଓଡ଼ିଶାର ବରପୁତ୍ରମାନଙ୍କର ତ୍ୟାଗ, ବଳିଦାନ ଓ କର୍ତ୍ତବ୍ୟନିଷ୍ଠାକୁ ସ୍ମରଣ କରି ଏକ ଉନ୍ନତ ଜାତି ହିସାବରେ ଗୌରବର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଓ ଅନୁଗୁଳ ପୌରପାଳିକାର ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ ଯୋଗ ଦେଇ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସଙ୍କଳ୍ପ ନେବାକୁ କହିଥିଲେ। ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଶାସନିକ ଅଧିକାରୀ ଡ. ଧରଣୀଧର ନାଥ ସ୍ୱତନ୍ତ୍ର ଓଡ଼ିଶା ଗଠନର ଐତିହାସିକ ଘଟଣାକ୍ରମ ଉପରେ ଆଲୋକପାତ କରିଥିଲେ। ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ପ୍ରଭାତ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିବାବେଳେ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତର ସଭାପତିତ୍ୱ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଧନ୍ୟବାଦ ଅର୍ପଣ କରିଥିଲେ।
ଉତ୍ସବ ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହାସହ ଏକ ଫଟୋଚିତ୍ର ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସକାଳେ ସହରରେ ରାମଧୁନ ପ୍ରଚାର କରାଯାଇଥିଲା। ସ୍ଥାନୀୟ ଗୋପବନ୍ଧୁ ପାର୍କ ଠାରେ ଅତିଥିମାନେ ବରପୁତ୍ର ମାନଙ୍କୁ ମାଲ୍ୟାର୍ପଣ କରିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ରଞ୍ଜନ କୁମାର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଜିତ୍ ଧଳ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।