ଅନୁଗୁଳ: ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ- ୨ ସହାୟତାରେ ଆଠମଲ୍ଲିକ ବନଖଣ୍ତ ତରଫରୁ ୨୦୨୧-୨୨ ବର୍ଷର ବାର୍ଷିକ ସମୀକ୍ଷା ବୈଠକ ସ୍ଥାନୀୟ ନାଲକୋ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଯୋଗ ଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ଏ ଅବସରରେ ସେ ଆଠମଲ୍ଲିକ ବନଖଣ୍ତ ଦ୍ୱାରା ନିଆଯାଇଥିବା ପ୍ରକଳ୍ପର ପ୍ରଶଂସା କରିବା ସହ ବିଭିନ୍ନ ସରକାରୀ ବିଭାଗ ସହଯୋଗରେ ନିଆଯାଉଥିବା ପ୍ରକଳ୍ପ ଓ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ପ୍ରକଳ୍ପ ମାଧ୍ୟମରେ ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ଲୋକଙ୍କ ସାମାଜିକ ଓ ଆର୍ଥିକ ଅଭିବୃଦ୍ଧି ସହିତ ଜଙ୍ଗଲ ବୃଦ୍ଧି କରିବାରେ ବନ ସଂରକ୍ଷଣ ସମିତିର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ବନଖଣ୍ତ ଅଧିକାରୀ ଆନନ୍ଦ ଏସ୍ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଉପଖଣ୍ତର ୩୬୪୨ ହେକ୍ଟର ପରିମିତ ଜଙ୍ଗଲ ଜମିର ରକ୍ଷଣା ବେକ୍ଷଣ ଓ ସୁରକ୍ଷା, ଲୋକମାନଙ୍କର ଆର୍ଥିକ ଉନ୍ନତି ପାଇଁ ୩୩୫, ୯୦୮ ଶ୍ରମ ଦିବସ ସୃଷ୍ଟି, ୭୫ଟି ବନସଂରକ୍ଷଣ ସମିତିକୁ ଏକ କୋଟି ୨୦ ଲକ୍ଷ ଟଙ୍କାର ସହାୟତା ରାଶି, ୧୧୧ ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୭୦.୭୦ଲକ୍ଷ ଟଙ୍କାର ଋଣ ପ୍ରଦାନ, ପ୍ରଧାନମନ୍ତ୍ରୀ ବୀମା ଯୋଜନାରେ ୨୮୭୯ ଜଣଙ୍କୁ ସାମିଲ, ଡିଡିୟୁଜିକେୱାଇ ଓ ଆରକେଭିୱାଇ ମାଧ୍ୟମରେ ୮୨ ଜଣଙ୍କୁ ଦକ୍ଷତା ବିକାଶ ତାଲିମ, ଖଦି କମିସନ ମାଧ୍ୟମରେ ମହୁଚାଷ, ଜିଲ୍ଲା ଖଣିଜ ପାଣ୍ଠିରୁ ୧୨ ଟି ବନ ସଂରକ୍ଷଣ ସମିତିର ଯୁବକ ଯୁବତୀଙ୍କୁ କମ୍ପ୍ୟୁଟର ଶିକ୍ଷା ସମେତ ବ୍ୟକ୍ତିଗତ ୪୭୩.୪୩ ହେକ୍ଟର ଜମିରେ ଜଙ୍ଗଲ ସୃଷ୍ଟି, ଚାରା ରୋପଣ, କୃଷି ଉନ୍ନୟନ, ଫଳ ଓ ପନିପରିବା ଚାଷ ଇତ୍ୟାଦି ହାତକୁ ନେଇ ଲୋକଙ୍କୁ ସ୍ୱାବଲମ୍ବୀ କରାଯାଇଥିବା ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ସହକାରୀ ବନସଂରକ୍ଷକ ଗୌରୀ ଶଙ୍କର ଦାସ, ଓଡ଼ିଶା ବନାଞ୍ଚଳ ଉନ୍ନୟନ୍ନ ସମିତିର ଉପନିର୍ଦ୍ଦେଶକ ଡଃ ସୁଦର୍ଶନ ସାହୁ, ବିବେକ କୁମାର ତ୍ୟାଗୀ, ବନଖଣ୍ତ ଅଧିକାରୀଙ୍କ ସମେତ ସମସ୍ତ ଅଧିକାରୀ ଯୋଗ ଦେଇଥିଲେ।