ଅନୁଗୋଳ: ନିଶା ସେବନ ବିରୋଧରେ ଜନସଚେତନତା ସୃଷ୍ଟି ଏବଂ ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରଖିବା ଲକ୍ଷ୍ୟରେ ଓଡ଼ିଶା ପୋଲିସ ପକ୍ଷରୁ ଆୟୋଜିତ ଜାତୀୟ ମୋଟରସାଇକେଲ୍ ରାଲି ଗୁରୁବାର ଅନୁଗୋଳରେ ପହଞ୍ଚିଛି। ‘ରାଷ୍ଟ୍ରୀୟ ଏକତା ଦିବସ-୨୦୨୬’ ପାଳନ ଏବଂ ‘ନିଶା ମୁକ୍ତ ଭାରତ ଅଭିଯାନ’ ଅଧୀନରେ ‘ନିଶା ବିରୋଧୀ ଲଢ଼େଇ’ ବାର୍ତ୍ତାକୁ ନେଇ ଏହି ରାଲି ଆୟୋଜନ କରାଯାଇଛି।
ଏହି ରାଲିର ନେତୃତ୍ୱ ଉତ୍ତର-କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ଆଶିଷ କୁମାର ସିଂହ ଏବଂ ଅନୁଗୋଳ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ନେଇଥିଲେ। ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ସ୍ୱେଚ୍ଛାସେବୀ ସାମିଲ ହୋଇ ନିଶା ବିରୋଧୀ ଅଭିଯାନକୁ ସମର୍ଥନ ଜଣାଇଥିଲେ।ନିଶା ସେବନର କୁପରିଣାମ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ଏକ ସୁସ୍ଥ, ସୁରକ୍ଷିତ ଓ ନିଶାମୁକ୍ତ ସମାଜ ଗଠନ ପାଇଁ ସାମୂହିକ ଉଦ୍ୟମକୁ ଏହି ରାଲି ଗୁରୁତ୍ୱ ଦେଇଛି।
ବିଶେଷକରି ଯୁବପିଢ଼ିଙ୍କୁ ନିଶାର କବଳରୁ ରକ୍ଷା କରିବା ଏବଂ ସମାଜରେ ଏକତା ଓ ସଚେତନତାର ବାର୍ତ୍ତା ପହଞ୍ଚାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ‘ନିଶାକୁ ନା, ଜୀବନକୁ ହଁ’—ଏହି ବାର୍ତ୍ତା ସହ ନିଶାମୁକ୍ତ ଭାରତ ଗଠନ ପାଇଁ ସମସ୍ତଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦିଆଯାଇଛି।