ମୁଖ୍ୟ ଖବର

ଅନୁଗୁଳରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ: ବିପର୍ଯ୍ୟୟ ସମୟରେ ନିଜକୁ ପ୍ରସ୍ତୁତ ରଖିବା ଉପରେ ଗୁରୁତ୍ବାରୋପ

By Angul TV Bureau

October 29, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ମିଳିତ ସହଯୋଗରେ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ-୨୦୨୩ ପାଳିତ ହୋଇଛି।

ଏ ଅବସରରେ ପ୍ରଥମେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏକ ବିପର୍ଯ୍ୟୟ ସଚେତନତା ଶୋଭାଯାତ୍ରା ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲା କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା। ପରେ ତାଳଚେର ଜିଲ୍ଲା ଅଗ୍ନିଶମ ବିଭାଗ ଓ ସିଭିଲ ଡିଫେନ୍ସ,ଙ୍କ ସହାୟତାରେ ଏକ ମକଡ୍ରିଲ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ବିପର୍ଯ୍ୟୟ ତଥା ବାତ୍ୟା, ଅଗ୍ନିକାଣ୍ଡ, ଦୁର୍ଘଟଣା, ଘଡ଼ଘଡ଼ି ବେଳେ କଣ କରିବେ ସେ ନେଇ ଛାତ୍ରଛାତ୍ରୀଙ୍କୁ ଡେମୋ ପ୍ରଦର୍ଶନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପ୍ରତାପ ପ୍ରୀତିମୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗତ ୧୯୯୯ ମସିହା ସମୟର ବାତ୍ୟା ବିଭୀଷିକାକୁ ମନେ ପକାଇବା ସହ ବିପର୍ଯ୍ୟୟ ସମୟରେ ନିଜକୁ ପ୍ରସ୍ତୁତ ରଖିବା ଉପରେ ଗୁରୁତ୍ବାରୋପ କରିଥିଲେ। ପରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁକାନ୍ତ କୁମାର ସାହୁଙ୍କ ସମେତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।