ମୁଖ୍ୟ ଖବର

ଏଣିକି ନବ ଦମ୍ପତିଙ୍କୁ ମିଳିବ ସରକାରୀ ଉପହାର,ବିବାହ ଦିନ ପାଇବେ ‘ନବ ଦମ୍ପତି ଗିଫ୍ଟ’

By Angul TV Bureau

August 12, 2022

ଭୁବନେଶ୍ବର : ଏଣିକି ନବ ଦମ୍ପତିଙ୍କୁ ମିଳିବ ସରକାରୀ ଉପହାର। ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ଏହି ବ୍ୟବସ୍ଥା ଆରମ୍ଭ କରୁଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏନଆରଏଚଏମ୍ ତରଫରୁ ‘ନବଦମ୍ପତି ଗିଫ୍ଟ’ ଦେବାକୁ ଯୋଜନା ହୋଇଛି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଓ ଏନଆରଏଚଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି।

ନବ ବିବାହିତ ଦମ୍ପତିଙ୍କୁ ସ୍ଥାନୀୟ ଆଶା କର୍ମୀ ଏହି ଉପହାର ଦେବେ। ନବଦମ୍ପତିମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବିବାହ ଉପହାର ଯୋଜନା ଆରମ୍ଭ କରାଯାଉଛି ବୋଲି ଏନଆରଏଚଏମ୍ ନିର୍ଦ୍ଦେଶିକା କହିଛନ୍ତି। ନବଦମ୍ପତିମାନେ ପ୍ରଥମ ସନ୍ତାନ ଓ ଦ୍ବିତୀୟ ସନ୍ତାନ ଲାଗି ଅତିକମରେ ୩ ବର୍ଷର ବ୍ୟବଧାନ ରଖନ୍ତୁ ବୋଲି ଏ ଅବସରରେ ପରାମର୍ଶ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଏହି ଗିଫ୍ଟରେ କିଛି ପରିବାର କଲ୍ୟାଣ ପୁସ୍ତିକା, ନେଲ କଟର, ଆଇନା, ପାନିଆ, ଟିକିଲି, ରୁମାଲ, ତଉଲିଆ, କଣ୍ଡୋମ, ଓରାଲ କଣ୍ଟ୍ରାସେପଟିକ ପିଲସ, ପ୍ରେଗନେନ୍ସି ଟେଷ୍ଟିଂ କିଟ୍, ଏମରଜେନ୍ସି କଣ୍ଟ୍ରାସେପ୍ଟିକ ପିଲସ ଓ ବିବାହ ପଞ୍ଜିକରଣ ଫର୍ମ ଇତ୍ୟାଦି ପ୍ରଦାନ କରାଯିବ। ଏହି ଯୋଜନା ଚଳିତ ବର୍ଷ ବିବାହ ଋତୁ ତଥା ସେପ୍ଟେମ୍ବର ମାସରୁ ଲାଗୁ ହେବ।