ମୁଖ୍ୟ ଖବର

ରନ୍ତଲେଇରେ OHPC ପକ୍ଷରୁ ସହାୟକ ଉପକରଣ ବଣ୍ଟନ ଶିବିର: ୭୯ ହିତାଧିକାରୀ ଉପକୃତ

By Angul TV Bureau

February 18, 2026

ଅନୁଗୁଳ: ଅନୁଗୁଳ ବ୍ଲକ୍‌ ଅନ୍ତର୍ଗତ ରନ୍ତଲେଇ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ ଲିମିଟେଡ (OHPC) ପକ୍ଷରୁ ଏକ ସ୍ଵତନ୍ତ୍ର ସହାୟକ ଉପକରଣ ବଣ୍ଟନ ଶିବିର ଆୟୋଜିତ ହୋଇଯାଇଛି। ନିଗମର ସାମାଜିକ ଦାୟିତ୍ୱବୋଧ ପଦକ୍ଷେପ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଦିବ୍ୟାଙ୍ଗଜନ ଏବଂ ବରିଷ୍ଠ ନାଗରିକମାନଙ୍କୁ ସହାୟତା ପ୍ରଦାନ କରାଯାଇଛି। ଭାରତୀୟ କୃତ୍ରିମ ଅଙ୍ଗ ନିର୍ମାଣ ନିଗମର ବୈଷୟିକ ସହଯୋଗରେ ପୂର୍ବରୁ ଚିହ୍ନଟ ହୋଇଥିବା ମୋଟ ୭୯ ଜଣ ହିତାଧିକାରୀଙ୍କୁ ଏହି ଅବସରରେ ବିଭିନ୍ନ ସହାୟକ ଉପକରଣ ବଣ୍ଟନ କରାଯାଇଛି।

ଏହି ଶିବିରରେ ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ପ୍ରଭାତ କୁମାର ପ୍ରଧାନ, ଅନୁଗୁଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ. ବିଶ୍ଵଭୂଷଣ, ରନ୍ତଲେଇ ସରପଞ୍ଚ ମିନାକ୍ଷୀ ବେହେରା ଏବଂ ଜିଲ୍ଲା ପରିଷଦର ପୂର୍ବତନ ସଭ୍ୟ ପ୍ରଶାନ୍ତ ପୃଷ୍ଟି ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶା ଜଳବିଦ୍ୟୁତ ନିଗମ ପକ୍ଷରୁ ସାଧାରଣ ପ୍ରବନ୍ଧକ ସୁବ୍ରତ କୁମାର ଷଡଙ୍ଗୀ, ଅବସରପ୍ରାପ୍ତ ଡିଜିଏମ୍ ପ୍ରଦୀପ କୁମାର ପ୍ରଧାନ, ଇଲେକ୍ଟ୍ରିକାଲ ଡିଜିଏମ୍ ଘନଶ୍ୟାମ ଗିରି ଏବଂ ମାନବ ସମ୍ବଳ ଅଧିକାରୀ ଆଶିଷ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ହିତାଧିକାରୀଙ୍କୁ ସାମଗ୍ରୀ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ପ୍ରମୋଦ ବେହେରା, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ତ୍ରିଦିବେଶ ଦଳବେହେରା ଓ ନୂଆମୌଜା ସରପଞ୍ଚ ବିକାଶ ଚନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ। ଏହି ପଦକ୍ଷେପ ଦ୍ୱାରା ସ୍ଥାନୀୟ ଦିବ୍ୟାଙ୍ଗ ଓ ବୟସ୍କ ବ୍ୟକ୍ତିମାନେ ବିଶେଷ ଭାବେ ଉପକୃତ ହୋଇପାରିଛନ୍ତି।