ମୁଖ୍ୟ ଖବର

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ : ଏମ୍‌ବିଏରେ ସୂର୍ଯ୍ୟକାନ୍ତ ପୃଷ୍ଟି ଓ ଏମସିଏରେ ବ୍ରହ୍ମାନନ୍ଦ ମହାରଣା ଟପ୍ପର

By Angul TV Bureau

June 03, 2024

ଭୁବନେଶ୍ଵର : ପ୍ରକାଶ ପାଇଲା ଚଳିତ ବର୍ଷର ଓଜେଇଇ ରେଜଲ୍ଟ । ଏଥରକ ଓଡିଶା ମିଳିତ ପ୍ରବେଶିକା ପରୀକ୍ଷାରେ ଏମସିଏ/ଏମ. ଏସସି (କମ୍ପୁଟର ସାଇନ୍ସ)ରେ ବ୍ରହ୍ମାନନ୍ଦ ମହାରଣା ଟପ୍ପର ହୋଇଥିବା ବେଳେ ଏଲ୍ଇ. ଟେକ୍ (ଡିପ୍ଲୋମା)ରେ ବିଲଟୁ ମଣ୍ଡଳ ଟପ୍ପର ହୋଇଛନ୍ତି । ସେହିପରି ଏମ୍‌ବିଏରେ ସୂର୍ଯ୍ୟକାନ୍ତ ପୃଷ୍ଟି, ଏମ୍‌. ଫାର୍ମାରେ ପଦ୍ମାଳୟା ମିଶ୍ର ଟପ୍ପର ଏବଂ ବି.ଫାର୍ମାରେ ସାଗରିକା ଦାଶ ଟପ୍ପର ହୋଇଛନ୍ତି ।

ଚଳିତ ଓଜେଇଇ ପରୀକ୍ଷା ମେ ୬ରୁ ଆରମ୍ଭ ହୋଇ ମେ ୧୦ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ୨୦୨୪-୨୦୨୫ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ବିଭିନ୍ନ ସରକାରୀ, ଯାନ୍ତ୍ରିକ ତଥା ବେସରକାରୀ ବିଶ୍ୱବିଦ୍ୟାଳୟ ଓ ଶିକ୍ଷା ଅନୁଷ୍ଠାନଗୁଡ଼ିକରେ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବି.ଫାର୍ମା, ଏଲ୍‌ଇ-ଟେକ୍‌, ଏଲ୍‌ଇ-ଟେକ୍‌ (ବିଏସ୍‌ସି), ବି କ୍ୟାଟ୍‌, ଏମ୍‌ବିଏ, ଏମ୍‌ସିଏ, ଏଲ୍‌ଇ-ଫାର୍ମା,ଏମ୍‌ ଫାର୍ମା, ଏମ୍‌ ଆର୍ଚ, ଏମ୍‌ ପ୍ଲାନ୍‌, ଏମ୍‌ ଟେକ୍‌ ଇତ୍ୟାଦି ରହିଛି । ରାଜ୍ୟର ସମସ୍ତ ଜିଲ୍ଲାରେ ମୋଟ ୫୭ ଟି କେନ୍ଦ୍ର ସହିତ ରାଜ୍ୟ ବାହାରେ କଲିକତା, ପାଟଣା ଏବଂ ରାଞ୍ଚି ପ୍ରମୁଖ ୩ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଥିଲା ।

ଚଳିତବର୍ଷ ୬୫,୭୪୨ ପରୀକ୍ଷାର୍ଥୀ ଏନରୋଲମେଣ୍ଟ କରିଥିବା ବେଳେ ୫୬,୦୪୭ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେଥିରୁ ୫୬,୦୦୦ ପରୀକ୍ଷାର୍ଥୀଙ୍କୁ ନିଜ ନିଜର ପ୍ରଦର୍ଶନ ଅନୁଯାୟୀ, ର଼୍ୟାଙ୍କ ମିଳିଛି। ଛାତ୍ରଛାତ୍ରୀମାନେ www.ojee.nic.inରେ ନିଜର ରେଜଲ୍ଟ ପାଇପାରିବେ।