ଅନୁଗୁଳ: ଅନୁଗୁଳ ଜିଲ୍ଲା ରେଙ୍ଗାଳି ଜଳ ଭଣ୍ଡାର ତଳେ ଗାଧୋଇବା ବେଳେ ବ୍ରାହ୍ମଣୀରେ ବୁଡ଼ି ଯାଇ ନିଖୋଜ ଥିବା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି। ନିଖୋଜ ବ୍ୟକ୍ତି ହେଲେ ରେଙ୍ଗାଳି ବଜାର ଅଞ୍ଚଳର ଅର୍ଜୁନ ସାହୁ (୬୪)।
ସୂଚନା ଅନୁସାରେ, ଗତ ଶୁକ୍ରବାର ସକାଳୁ ଅର୍ଜୁନ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ରେଙ୍ଗାଳି ପାୱାର ହାଉସ ପକ୍ଷରୁ ଛଡ଼ା ଯାଉଥିବା ପାଣି ହଠାତ୍ ଆସିଥିବା ବେଳେ ନଦୀରୁ ଅର୍ଜୁନ ବାହାରି ଆସି ପାରିନଥିଲେ। ଫଳରେ ପାଣିରେ ବୁଡ଼ି ଯାଇଥିଲେ। ଘଟଣାସ୍ଥଳରେ ରେଙ୍ଗାଳି ପୋଲିସ୍ ପହଞ୍ଚି କଣିହାଁ ଦମକଳ ବାହିନୀକୁ ସୂଚନା ଦେଇଥିଲେ। ବହୁ ଖୋଜାଖୋଜି ପରେ ଆଜି ସନ୍ଧ୍ୟାରେ ବୁଡ଼ି ଯାଇଥିବା ସ୍ଥାନରେ ଶବ ଭାସୁଥିବା ଦେଖିବାକୁ ମିଳିଥିଲା। ଦମକଳ ବାହିନୀ ଶବ ଉଦ୍ଧାର ପରେ ରେଙ୍ଗାଳି ପୋଲିସ ମୃତ ଦେହ ଜବତ କରିବା ନେଇ ଆଇଆଇସି ଜୟନ୍ତ କୁମାର ମହାନ୍ତି ସୂଚନା ଦେଇଛନ୍ତି।