ମୁଖ୍ୟ ଖବର

ହାତୀ ଆକ୍ରମଣରେ ବୃଦ୍ଧ ମୃତ, କ୍ଷତିପୂରଣ ଦାବିରେ ଚାପା ଉତ୍ତେଜନା ଜାରି

By Angul TV Bureau

October 28, 2024

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ପୁରୁଣାକୋଟ  ବନାଞ୍ଚଳ ଛୋଟକେଇ ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ସୂଚନା ମୁତାବକ, ଛୋଟକେଇ ଗାଁର ସତିଆ ଧଳ ଫସଲକୁ ଜଙ୍ଗଲୀ ଜନ୍ତୁଙ୍କ ଦାଉରୁ ସୁରକ୍ଷା ଦେବା ନିମନ୍ତେ ବିଲ ନିକଟ ମଞ୍ଚା ଉପରେ ଜଗିଥିବା ବେଳେ ଆଜି ସକାଳେ ତାଙ୍କୁ ଏକ ହାତୀ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା।

ଏ ନେଇ ଜାଣିବା ପରେ ଗାଁରେ ଉତ୍ତେଜନା ଦେଖାଦେଇଥିଲା।ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ରାଶି ପ୍ରଦାନ ସହ ଜଣକୁ ନିଯୁକ୍ତି, ଜଙ୍ଗଲୀ ଜନ୍ତୁ ବିଶେଷ କରି ହାତୀ ଉପଦ୍ରବରୁ ଧନ ଜୀବନକୁ ସୁରକ୍ଷା ଯୋଗାଇଦେବା ନିମନ୍ତେ ଗାଁ ଚତୁଃପାର୍ଶ୍ଵରେ ସୌର ବାଡ଼ ସହ ଗାଁକୁ ରାସ୍ତା ନିର୍ମାଣ ଆଦି ଦାବି ନେଇ ସ୍ଥାନୀୟ ଲୋକେ ଅଡ଼ି ବସିଥିଲେ। ଖବର ପାଇ ପୁରୁଣାକୋଟ ରେଞ୍ଜ ଅଧିକାରୀ, ସାତକୋଶିଆ ଏସିଏଫ୍, ପୁରୁଣାକୋଟ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ପାରିନଥିଲେ। ସାତକୋଶିଆ ଡିଏଫଓ ଘଟଣାସ୍ଥଳରେ ପହଞ୍ଚି ଦାବି ପୂରଣ ନିମନ୍ତେ ପ୍ରତିଶ୍ରୁତି ଦିଅନ୍ତୁ ଦାବି କରି ଏବେ ବି ଗ୍ରାମବାସୀ ଆନ୍ଦୋଳନ ଜାରି ରଖିଥିବା ଜଣାଯାଇଛି।