ଘଟଣା ଓ ଦୁର୍ଘଟଣା

ଶୌଚ ହେବାକୁ ଯାଇଥିବା ବେଳେ ଦନ୍ତା ଆକ୍ରମଣ, ବୃଦ୍ଧଙ୍କ ମୃତ: କ୍ଷତିପୂରଣ ଦାବିରେ ଗ୍ରାମରେ ଉତ୍ତେଜନା

By Angul TV Bureau

October 20, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ମାଣିକଯୋଡ଼ି ଗ୍ରାମ ପଞ୍ଚାୟତରେ ଏକ ଦନ୍ତା ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ ଯେ ଆଜି ସକାଳେ ମାଣିକଯୋଡ଼ି ଗ୍ରାମର ବଟକୃଷ୍ଣ ନାଏକ (୬୭) ଗାଁ ପୋଖରୀ ପାଖ ପଡ଼ିଆକୁ ଶୌଚ ହେବାକୁ ଯାଇଥିବା ବେଳେ ନିକଟସ୍ଥ ଜଙ୍ଗଲରୁ ଏକ ଦନ୍ତା ହାତୀ ବାହାରି ତାଙ୍କୁ ଶୁଣ୍ଢରେ ଧରି କଚାଡ଼ି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ହାତୀଟି ବଟକୃଷ୍ଣଙ୍କ ସହ ଯାଇଥିବା ଆଉ ଜଣଙ୍କୁ ମଧ୍ୟ ଆକ୍ରମଣ କରିବା ପାଇଁ ଗୋଡ଼ାଇଥିଲା। କିନ୍ତୁ ସେ କୌଶଳ କ୍ରମେ ଦୌଡ଼ି ପଳାଇବାରୁ ସୌଭାଗ୍ୟବଶତଃ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଥିଲେ। ଖବର ପାଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲେ।

ଘଟଣାସ୍ଥଳକୁ ଯାଇ ଗ୍ରାମବାସୀ ସେଠାରେ ଉପଯୁକ୍ତ କ୍ଷତିପୂରଣ ଦାବି କରିଥିଲେ। ଏହି ଘଟଣା ପରେ ପୁରୁଣା କୋଟ ଥାନା ପୋଲିସଙ୍କ ସହ ବନ ବିଭାଗର ଉଚ୍ଚ ପଦାଧିକାରୀମାନେ ଘଟଣାସ୍ଥଳକୁ ଯାଇ ତଦନ୍ତ ଚଳାଇଥିବା ଜଣାଯାଇଛି।