ମୁଖ୍ୟ ଖବର

ଘର ଆଗରୁ ବୃଦ୍ଧଙ୍କୁ ଟାଣି ନେଲା ଦନ୍ତା, ଫୋନ୍ ବନ୍ଦ କରି ଶୋଇଲା ବନବିଭାଗ: ମହୀଧରପୁରରେ ଉତ୍ତେଜନା

By Angul TV Bureau

June 20, 2026

ଅନୁଗୋଳ: ଘର ଦୁଆର ମୁହଁରେ ବସିଥିବା ବେଳେ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କୁ ଦନ୍ତା ହାତୀ ଟାଣି ନେଇ କଚାଡି ଦେଇଛି। ବନ୍ତଳା ରେଞ୍ଜ ମହୀଧରପୁର ପଞ୍ଚାୟତ ସେରେଣାବେଡା ଗାଁରେ ଏହି ଲୋମଟାଙ୍କୁରା ଘଟଣା ଘଟିଛି। ଗୁରୁତର ନାରଣ ନାଏକ ଅନୁଗୋଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ନାରଣ ନାଏକ ଘର ସମ୍ମୁଖ ରାସ୍ତାରେ ବସିଥିବା ବେଳେ ପଛପଟ ଜଙ୍ଗଲରୁ ଏକ ଦନ୍ତା ହଠାତ୍ ମାଡି ଆସିଥିଲା। କିଛି ବୁଝିବା ଆଗରୁ ହାତୀଟି ତାଙ୍କୁ ଶୁଣ୍ଢରେ ଟେକି ନେଇ ତଳେ କଚାଡି ଦେଇଥିଲା। ପାଖରେ ଥିବା ଯୁବକ ମୁନା ନାଏକ ଜୀବନକୁ ବାଜି ଲଗାଇ ନାରଣଙ୍କୁ ହାତୀ ପାଦ ତଳୁ ଟାଣି ଆଣିଥିଲେ। ଗାଁ ଲୋକେ ଏକାଠି ହୋଇ ପାଟି କରିବାରୁ ହାତୀଟି ନିକଟସ୍ଥ ଆମ୍ବ ବଗିଚାକୁ ପଳାଇଥିଲା। ଘଟଣା ପରେ ଗ୍ରାମବାସୀ ମହୀଧରପୁର ବିଟର ଫରେଷ୍ଟ ଗାର୍ଡ ନିରୁପମା ନାୟକ, ଗଜମିତ୍ର ଓ ହାତୀ ସ୍କ୍ୱାର୍ଡକୁ ବାରମ୍ବାର ଫୋନ୍ କରିଥିଲେ। କିନ୍ତୁ ସମସ୍ତଙ୍କ ଫୋନ୍ ସୁଇଚ୍ ଅଫ୍ ଥିଲା। ଶେଷରେ ଗାଁ ଲୋକେ ନିଜେ ଗୁରୁତର ନାରଣଙ୍କୁ ଅନୁଗୋଳ ଡାକ୍ତରଖାନା ନେଇଥିଲେ। ତାଙ୍କ ଛାତିରେ ଗଭୀର ଆଘାତ ସହ ହାତ-ଗୋଡରୁ ପ୍ରବଳ ରକ୍ତସ୍ରାବ ହେଉଛି। ଏନେଇ ବନ୍ତଳା ରେଞ୍ଜର୍ ପ୍ରସନ୍ନ ସାହୁଙ୍କୁ ପଚରାଯିବାରୁ ସେ କହିଲେ, “ହାତୀ ଆକ୍ରମଣ ନେଇ ମୋ ପାଖରେ କୌଣସି ଖବର ନାହିଁ।” ଘର ଆଗରୁ ଲୋକଙ୍କୁ ହାତୀ ଟାଣି ନେଲା ପରେ ବି ବିଭାଗ ପାଖରେ ଖବର ନାହିଁ, ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ଗ୍ରାମବାସୀଙ୍କ ଅଭିଯୋଗ, ମହୀଧରପୁର ବିଟରେ ୬ ଜଣ ଗଜମିତ୍ର ଓ ହାତୀ ସ୍କ୍ୱାର୍ଡ ନିଯୁକ୍ତ ଥିଲେ ବି ସନ୍ଧ୍ୟା ପରେ କାହାରି ଦେଖା ମିଳେନି। ପାଟ୍ରୋଲିଂ କେବଳ କାଗଜପତ୍ରରେ। ଲୋକେ ଦାବି କରିଛନ୍ତି – ଆହତ ନାରଣଙ୍କୁ ତୁରନ୍ତ ସରକାରୀ ସହାୟତା, ଦାୟିତ୍ୱହୀନ ଫରେଷ୍ଟ ଗାର୍ଡଙ୍କ ବଦଳି ଓ ରାତ୍ରିକାଳୀନ ପାଟ୍ରୋଲିଂ କଡାକଡି କରାଯାଉ। ନଚେତ୍ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।