ମୁଖ୍ୟ ଖବର

କାଲିଠୁ ଗଡ଼ିବନି ଟ୍ରକ: ଆସନ୍ତାକାଲି ମଧ୍ୟରାତ୍ରରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କୋଇଲା ଟ୍ରକ ଚଳାଚଳ ବନ୍ଦ

By Angul TV Bureau

November 08, 2023

ତାଳଚେର: ତାଳଚେରରେ ଟ୍ରକ ଯୋଗେ ପର୍ଯ୍ୟାପ୍ତ କୋଇଲା ପରିବହନ ଓ ଟ୍ରକର ଉଚିତ ଭଡ଼ାକୁ ନେଇ ଆସନ୍ତାକାଲି ଅର୍ଥାତ୍ ୯ ତାରିଖ ମଧ୍ୟରାତ୍ରରୁ ଟ୍ରକ ମାଲିକ ସଂଘ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି।

ଉଚିତ ଭଡ଼ା ଓ ପର୍ଯ୍ୟାପ୍ତ ପରିମାଣର କୋଇଲା, ରୋଡ଼ ସେଲ ମାଧ୍ୟମରେ ଚାଲାଣ କରିବା ସହିତ ତାଳଚେରର ଟ୍ରକ ମାଲିକଙ୍କୁ ଅଗ୍ରାଧିକାର ଭିତ୍ତିରେ କୋଇଲା ପରିବହନ ପାଇଁ ସୁଯୋଗ ମିଳିବା ଆଦି ଦାବି ନେଇ ଗତ ମାସ ୧୦ ତାରିଖ ଦିନ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ଦୋଳନ ନ କରିବା ପାଇଁ ଅନୁରୋଧ କରିଥିଲେ। ଏ ନେଇ ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇ ସମସ୍ୟା ଉପରେ ଆଲୋଚନା କରି ସମାଧାନ ପାଇଁ ତାଳଚେର ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏଗାର ଜଣିଆ ବୈଠକ ଗଠନ କରି ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଟ୍ରକ ମାଲିକଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ଦିଆଯାଇ ନ ଥିବା ଟ୍ରକ ମାଲିକ ସଂଘ ପକ୍ଷରୁ ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ ଯେ ଧାର୍ଯ୍ୟ ଭଡା ନ ପାଇ ୨୦୧୯ ମସିହାରେ ଲାଗୁ ହୋଇଥିବା ଭଡାରେ ଟ୍ରକ ମାଲିକମାନେ ଆଜି ପର୍ଯ୍ୟନ୍ତ ଚାଲି ଆସୁଛନ୍ତି, ଫଳରେ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିବା ସହ ଏହା ସେମାନଙ୍କ ପାଇଁ ଅସହ୍ୟ ହୋଇପଡ଼ିଲାଣି ବୋଲି ଟ୍ରକ ମାଲିକମାନେ ପ୍ରକାଶ କରିଛନ୍ତି।

ଆଜି ଟ୍ରକ ମାଲିକ ସଂଘର ସଭାପତି ଅରବିନ୍ଦ ଭୂତିଆଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଗ୍ରାମାଞ୍ଚଳ ଟ୍ରକ ମାଲିକ ସଂଘ, ଆଞ୍ଚଳିକ ଟ୍ରକ ମାଲିକ ସଂଘ, ରିଜିଓନାଲ ଟ୍ରକ ମାଲିକ ସଂଘ ସାମିଲ ହୋଇଥିଲେ। ନିଷ୍ପତ୍ତି ଅନୁଯାୟୀ, ଆସନ୍ତାକାଲି ମଧ୍ୟ ରାତ୍ରରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ହେବ ବୋଲି ସଭାପତି ଶ୍ରୀ ଭୂତିଆ କହିଛନ୍ତି।ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଟ୍ରକ ମାଲିକ ସଂଘର କାର୍ଯ୍ୟକାରୀ ସଭାପତି ଟୁକୁନା ସ୍ୱାଇଁ, ମାନସ ରଞ୍ଜନ ଆଚାର୍ଯ୍ୟ, ସାଧାରଣ ସମ୍ପାଦକ ରତନ ଶତପଥୀ, ସମସ୍ତ ସେକ୍ଟରର ଇନଚାର୍ଜ ସାଧାରଣ ସମ୍ପାଦକ, ମହେଶ ଅଗ୍ରୱାଲ, ନିରଞ୍ଜନ ପ୍ରଧାନ, ରାଜକିଶୋର ସାହୁଙ୍କ ସମେତ ତାଳଚେର ଟ୍ରକ ମାଲିକ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।