ମୁଖ୍ୟ ଖବର

ବିଶ୍ବଜିତ ହତ୍ୟାକାଣ୍ଡ ପଛରେ ପୂର୍ବଶତ୍ରୁତା: ଘରୁ ଡାକି ନେଇ ଟ୍ରକ୍‌ ତଳେ ଶୁଆଇଦେଇଥିଲେ, ଜଣେ ଗିରଫ

By Angul TV Bureau

May 14, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଲାଙ୍ଗିଯୋଡ଼ାର ବିଶ୍ବଜିତ ନାୟକ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ପୁଲିସ ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି।

ପୁଲିସ ସୂଚନା ମୁତାବକ, ପ୍ରେମ ସମ୍ପର୍କକୁ ନେଇ ଆନନ୍ଦ ନାଏକ ଓ ସତ୍ୟପ୍ରକାଶ ନାଏକ ସହିତ ବିଶ୍ଵଜିତ ନାଏକଙ୍କର ମନୋମାଳିନ୍ୟ ଥିଲା। ତେଣୁ ଆନନ୍ଦ ଓ ସତ୍ୟପ୍ରକାଶ ମିଶି ବିଶ୍ବଜିତଙ୍କୁ ଅପହରଣ ଓ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ଯୋଜନା ମୁତାବକ, ସେମାନେ ଏକ ବେନାମୀ ମୋବାଇଲ ସିମ୍‌ ଓ ଏକ ନୂଆ ମୋବାଇଲ ଫୋନ କିଣି ଗତ ଏପ୍ରିଲ ୨୫ଠାରୁ ବିଶ୍ଵଜିତ ସହିତ ସେହି ସିମ୍‌ରେ କଥା ହେଉଥିଲେ। ଯୋଜନା ମୁତାବକ ଗତ ଏପ୍ରିଏ ୨୭ ଦିନ ପ୍ରାୟ ୦୧.୩୦ ମିନିଟ ହେବ ଆନନ୍ଦ ନାଏକ ଓ ସତ୍ୟପ୍ରକାଶ ନାଏକ ମିଶି ବିଶ୍ଵଜିତକୁ ଡାକି ଦେଉଳବେଡ଼ାରେ ଥିବା ଗ୍ରୀନ ଗ୍ରାସ ଷ୍ଟାଡିୟମ୍‌ ପାଖକୁ ଡାକିଥିଲେ। ବିଶ୍ଵଜିତ ତାଙ୍କ ସ୍କୁଟିରେ ଆସି ପହଞ୍ଚିବା ପରେ ତାକୁ ସେମାନେ କାରର ଆଗ ସିଟ୍‌ରେ ବସାଇ ଏକଡାଳ ଗ୍ରାମ ଜଙ୍ଗଲକୁ ଯାଇଥିଲେ। ବିଶ୍ଵଜିତର ସ୍କୁଟି ସତ୍ୟର ଜଣେ ସାଙ୍ଗ ଚଲାଇ ନେଇଥିଲେ। ସନ୍ଧ୍ୟା ହେବା ପରେ ସେମାନେ ବିଶ୍ଵଜିତଙ୍କୁ ଶିବରାମପୁର ଗ୍ରାମ ପାଖକୁ ନେଇଥିଲେ ଓ ସେଠାରେ ଏକ କୋଇଲା ବୋଝେଇ ଟ୍ରକ ପଛ ଚକା ତଳେ ବିଶ୍ଵଜିତକୁ ଶୁଆଇଥିଲେ। ଟ୍ରକରେ ଶୋଇଥିବା ଡ୍ରାଇଭରକୁ ହଠାତ୍‌ ଉଠାଇ ତାକୁ ଆତଙ୍କିତ କରିବାରୁ ସେ ସେଠାରୁ ଟ୍ରକ ନେଇ ପଳାଇଯାଇଥିଲେ। ଏହି ସମୟରେ ଟ୍ରକର ପଛ ଚକା ବିଶ୍ଵଜିତଙ୍କ ମୁଣ୍ଡ ଓ ଅନ୍ୟ ଅଂଶରେ ଚଢ଼ିଯିବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ଦୁର୍ଘଟଣାର ରୂପ ଦେବା ପାଇଁ ସେହି ରାସ୍ତା କଡ଼ରେ ଥିବା ନାଳ ଭିତରକୁ ବିଶ୍ଵଜିତର ସ୍କୁଟିକୁ ଫୋପାଡି ଦେବା ପରେ ମୃତ ଶରୀରକୁ ମଧ୍ୟ ଭିଡ଼ି ନେଇ ନାଳ ଭିତରେ ପକାଇ ଦେଇଥିଲେ ଆନନ୍ଦ ଓ ସତ୍ୟପ୍ରକାଶ। ଏହି ଘଟଣାରେ ତାଳଚେର ପୁଲିସ ବଅଁରପାଳର ଆନନ୍ଦ ନାଏକକୁ ଗିରଫ କରିବା ସହ ଅପରାଧରେ ବ୍ୟବହୃତ ଏକ କାର (ଓଡି୩୩କ୍ୟୁ୮୯୮୯) ଜବତ କରିଛି।