ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ପୁରୁଣାକୋଟ ଗାଁର ଜଣେ ଯୁବକ ପୂର୍ବ ଶତ୍ରୁତାରୁ ସ୍ବାମୀ ଓ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଗିରଫ ହୋଇଛନ୍ତି। ସୂଚନା ଯେ, ଗାଁର ପିଣ୍ଟୁ ଓରଫ ରମେଶ ଚନ୍ଦ୍ର ଗଡ଼ନାୟକ(୩୦)ଙ୍କ ସହ ପବନା ରାଉତଙ୍କ ପୂର୍ବରୁ ଶତ୍ରୁତା ଥିଲା। ତେବେ ମଙ୍ଗଳବାର ସକାଳେ ପିଣ୍ଟୁ ହଠାତ୍ ପବନାଙ୍କ ଘରେ ପଶି ଗାଳିଗୁଲଜକରି ପବନାଙ୍କୁ ଏକ ଛୁରୀରେ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ବେଳେ ପବନାଙ୍କ ସ୍ତ୍ରୀ ତାଙ୍କୁ ରକ୍ଷା କରିବାକୁ ଯାଇ ଆହତ ହୋଇଥିଲେ। ଏହାପରେ ପିଣ୍ଟୁ ପବନାଙ୍କୁ ମାଡ଼ପିଟ କରି ସେଠାରୁ ପଳାଇ ଆସିଥିଲେ। ଏ ନେଇ ପବନାଙ୍କ ସ୍ତ୍ରୀ ରୁନା ରାଉତ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ପିଣ୍ଟୁଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।