ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ନତଡ଼ା ଗାଁରେ ପୋଖରୀରେ ମାଛ ଜାଆଁଳ ଛାଡ଼ିବାକୁ ନେଇ ବଡ଼ଭାଇଙ୍କୁ ଟାଙ୍ଗିଆରେ ଆକ୍ରମଣକରି ସାନଭାଇ ଗିରଫ ହୋଇଛି।
ସୂଚନା ଅନୁଯୟୀ, ଗାଁର ବିମ୍ବାଧର ଦେହୁରୀଙ୍କର ଏକ ପୋଖରୀ ଅଛି। ଏହି ପୋଖରୀରେ ତାଙ୍କର ୨ ପୁଅ ପ୍ରଶାନ୍ତ ଦେହୁରୀ ଓ ଶ୍ରୀକାନ୍ତ ଦେହୁରୀ ମାଛ ଜାଆଁଳ ଛାଡ଼ି ମାଛ ଚାଷ କରନ୍ତି। ତେବେ ଗତ ବର୍ଷ ମାଛ ମାଡ଼ପରେ ଭାଗ ବଣ୍ଟାକୁ ନେଇ ପ୍ରଶାନ୍ତ ଓ ଶ୍ରୀକାନ୍ତଙ୍କ ମଧ୍ୟରେ ମତଭେଦ ଥିଲା। ତେବେ ମଙ୍ଗଳବାର ସନ୍ଧ୍ୟାରେ ପୋଖରୀରେ ମାଛ ଜାଆଁଳ ଛାଡ଼ିବାକୁନେଇ ପ୍ରଶାନ୍ତ ଓ ଶ୍ରୀକାନ୍ତଙ୍କ ମଧ୍ୟରେ ପାଟିଗୋଳ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ସାନଭାଇ ଶ୍ରୀକାନ୍ତ ଏକ ଟାଙ୍ଗିଆରେ ପ୍ରଶାନ୍ତଙ୍କୁ ଆକ୍ରମଣ କରିଥିଲେ। ଫଳରେ ପ୍ରଶାନ୍ତ ଗୁରୁତର ଆହତ ହୋଇଥିଲେ। ଏ ନେଇ ପ୍ରଶାନ୍ତ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ଏକ ମାମଲା ରୁଜୁକରି ବୁଧବାର ଶ୍ରୀକାନ୍ତଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।