ଅନୁଗୁଳ: ମଦ ଦୋକାନରୁ ଟଙ୍କା ଆତ୍ମସାତ ଅଭିଯୋଗରେ ଜଣେ କର୍ମଚାରୀଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ସମ୍ପୃକ୍ତ କର୍ମଚାରୀ ଦୋକାନରୁ ୨ ଲକ୍ଷ ୬୦ ହଜାର ଟଙ୍କା ଆତ୍ମସାତ କରିଥିବା ମଦ ଦୋକାନର ମ୍ୟାନେଜରଙ୍କ ଅଭିଯୋଗ ପରେ ପୁଲିସ ତଦନ୍ତ କରି ଅଭିଯୁକ୍ତକୁ ଝାଡ଼ଖଣ୍ଡରୁ ଗିରଫ କରିଛି।
ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା ଖମାର ଥାନା ଖମାରରେ ଥିବା ଏକ ମଦ ଦୋକାନର ମ୍ୟାନେଜର ସୁବାସ କୁମାର ଗତ ୬ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ ଦୀପୁ କୁମାର ନାମକ ଜଣେ ଦୋକାନର କର୍ମଚାରୀ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି। ଦୋକାନର ପ୍ରାୟ ୨ ଲକ୍ଷ ୬୦ ହଜାର ଟଙ୍କା ଆତ୍ମସାତ କରିଛି ଦୀପୁ। ଅଭିଯୋଗ ପରେ ଖମାର ଥାନା ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଦୀପୁକୁ ଖୋଜାଖୋଜି କରିଥିଲା। ସେ ନିଜ ଗାଁ ଝାଡ଼ଖଣ୍ଡର ବରାହୀରେ ଲୁଚିଥିବା ଜାଣିବାକୁ ପାଇଥିଲା। ପୁଲିସର ଏକ ଟିମ ବରାହୀ ଯାଇ ସେଠାରୁ ଦୀପୁ କୁମାରଙ୍କୁ ଗିରଫ କରିଥିଲା। ତା’ ନିକଟରୁ ୪୫ ହଜାର ଟଙ୍କା ମଧ୍ୟ ଜବତ କରାଯାଇଥିଲା। ଗୁରୁବାର ତାକୁ ଟଙ୍କା ଆତ୍ମସାତ ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଛି।