ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଘୁଆବୋଲ ଗାଁରେ ଏକ ଘର ପୋଡ଼ି ଦେଇଥିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫକରିଛି। ସୂଚନା ଅନୁଯାୟୀ, ବାଘୁଆବୋଲ ଗାଁରେ ଥିବା ଏକ ପାଣି ଟାଙ୍କିରେ ବିଜାପଦା ଗାଁର ଜମ୍ବେଶ୍ବର ଦେହୁରୀ(୫୦) ଜଗୁଆଳୀ ଭାବେ କାର୍ଯ୍ୟ କରନ୍ତି। ସେଠାରେ ସେ ଏକ ଜରିପାଲ ଦେଇ ଘର କରିଥିଲେ। ତାଙ୍କ ଜରିପାଲଟି ଚୋରୀ ହୋଇଥିଲା। ଏ ନେଇ ସେ ସନ୍ଦେହରେ ଗାଁର ଅଶୋକ ନାଏକଙ୍କୁ ପଚରା ଉଚୁରାକରି ଗାଳିଗୁଲଜ କରିଥିଲେ। ଅଶୋକଙ୍କୁ ଜୀବନରେ ମାରିଦେବାସହ ଘର ପୋଡ଼ି ଦେବାକୁ ଧମକ ଦେଇଥିଲେ। ତେବେ ୧୮ ତାରିଖ ରାତିରେ ଅଶୋକ ନାଏକ ଓ ତାଙ୍କ ସ୍ତ୍ରୀ ଘର ବାରଣ୍ଡାରେ ଶୋଇଥିବା ବେଳେ ହଠାତ୍ ତାଙ୍କ ଘର ପଛପାଖ ନିଆଁ ଲାଗିଥିଲା। ନିଆଁ ଦେଖି ଅଶୋକ ଓ ତାଙ୍କ ସ୍ତ୍ରୀ ଘର ପଛପାଖକୁ ଦୌଡ଼ି ଦେଖିଲା ବେଳକୁ ଜମ୍ବେଶ୍ବର ଦୌଡ଼ି ପଳାଉଛି। ଏ ନେଇ ଅଶୋକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଗୁରୁବାର ଜମ୍ବେଶ୍ବରଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।