ମୁଖ୍ୟ ଖବର

ବାସନ୍ତୀ ଖେଳପଡିଆ ଭିତ୍ତିଭୂମି ବିକାଶ ପାଇଁ ମିଳିଲା ୧ କୋଟି ୫ ଲକ୍ଷ

By Biswaranjan Pattnaik

December 29, 2025

ଅନୁଗୁଳ: ଅମଲାପଡ଼ା ବାସନ୍ତୀ ଦୁର୍ଗା ଖେଳପଡିଆର ଭିତ୍ତିଭୂମିର ବିକାଶ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ଯୋଗାଇ ଦିଆଯାଇଛି ୧ କୋଟି ୫ ଲକ୍ଷ ୪୦ ହଜାର ଟଙ୍କା। ପଡ଼ିଆରେ ଏକ ମନୋରଞ୍ଜନ କେନ୍ଦ୍ର ନିର୍ମାଣ ପାଇଁ ୨୮ ଲକ୍ଷ ଟଙ୍କା ଦିଆଯାଇଛି।ଏହି କେନ୍ଦ୍ର ନିର୍ମାଣ ହେଲେ ସଭା ସମିତି, ନାଚ-ଗୀତ, ପ୍ରବଚନ ଆଦି କାର୍ଯ୍ୟକ୍ରମ ପାଇଁ ଟେଣ୍ଟ ହାଉସ ଉପରେ ଆଉ ନିର୍ଭର କରିବାକୁ ପଡ଼ିବ ନାହିଁ।

ସେହିଭଳି ସେଠାରେ ଏକ ମହିଳା ଇଣ୍ଡୋର୍ ଜିମ ପାଇଁ ଗୃହ ନିର୍ମାଣ କରାଯିବ। ଏଥିପାଇଁ ୪୭ ଲକ୍ଷ ୯୦ ହଜାର ଟଙ୍କା ମଞ୍ଜୁର କରାଯାଇଛି।ସେହିଭଳି ଜିମ୍ ଉପକରଣ ଓ ଏହାର ବିଦ୍ୟୁତକରଣ ପାଇଁ ୨୯ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର କରାଯାଇଛି। ମହିଳା ମାନେ ଏହି ଜିମ୍ ବ୍ୟବହାର କରି ନିଜକୁ ଫିଟ୍ ରଖି ପାରିବେ। କେବଳ ମହିଳା ମାନଙ୍କ ପାଇଁ ସରକାରୀ ଭାବେ ଏଭଳି ଏକ ଜିମ୍ ଅନୁଗୁଳରେ ପ୍ରଥମ ବୋଲି କୁହା ଯାଉଛି।

ଖଣିଜ ପାଣ୍ଠିରୁ ଏହି ଅର୍ଥ ମଞ୍ଜୁର ପାଇଁ ବାସନ୍ତୀ ଦୁର୍ଗା ପୂଜା କମିଟି ସଭାପତି ଶକ୍ତି ପଟ୍ଟନାୟକ, ସମ୍ପାଦକ ଅନୁପ ମହାନ୍ତିଙ୍କ ସମେତ ଉପଦେଷ୍ଟା ପ୍ରଦୀପ ଦେବତା, ସଦସ୍ୟ ରଶ୍ମି ରଞ୍ଜନ ପ୍ରଧାନ, ଶୁଭେନ୍ଦୁ ପ୍ରଧାନ,ଯତୀନ ସେଠୀ,ତାପସ ରାୟ, ମନୁ ପ୍ରଧାନ,ପ୍ରତାପ ମାଝୀ,ତପୁ ଦାସ ଦୀପକ ଦାସ ପ୍ରମୁଖ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ,ଜିଲ୍ଲାପାଳ ଅବ୍ଦାଲ୍ ଏମ ଅଖତର ଏବଂ ପୌର କର୍ତ୍ତୃପକ୍ଷଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି।