ମୁଖ୍ୟ ଖବର

ଭାରସାମ୍ୟ ହରାଇ ଖାଲରେ ଗଳି ପଡ଼ିଲା କାର: ଜଣେ ମୃତ, ୩ ଗୁରୁତର

By Sanjeeb Biswal

November 25, 2023

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ସାନକୁଶକିଳା ଗ୍ରାମ ନିକଟସ୍ଥ ବିଦ୍ୟାଳୟ ନିକଟରେ ଭାରସାମ୍ୟ ହରାଇ ଏକ କାର ୧୦ଫୁଟ ତଳକୁ ଖସି ପଡ଼ିଛି। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଜରପଡା ଥାନା କୁଶକିଳା ଗ୍ରାମର ଦୁର୍ଲ୍ଲଭ ସାହୁ ଓ ଗୁରୁତରମାନେ ହେଲେ ସେହି ଗାଁର ଗଗନ ବିହାରୀ ସାହୁ, ଲାଲଟୁ ସାହୁ, ଚାଳକ ଚିକୁନୁ ପ୍ରଧାନ।

ସୂଚନା ମୁତାବକ, ଗୁରୁତର ଓ ମୃତକ ଅଲଟୋ ଗାଡ଼ିରେ ଛେଣ୍ଡିପଦାର ଏକ ଘରୋଇ ନର୍ସିଂହୋମରୁ ସମ୍ପର୍କୀୟଙ୍କୁ ଦେଖାକରି ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ସାନକୁଶକିଳା ଗ୍ରାମ ବିଦ୍ୟାଳୟ ନିକଟସ୍ଥ ରାସ୍ତା ପାର୍ଶ୍ଵରେ ୧୦ଫୁଟ ତଳକୁ ଖସି ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କୋଶଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଦୁର୍ଲଭ ସାହୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ଖବର ଲେଖା ହେବା ସୁଦ୍ଧା ଏ ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇ ନଥିବା ପୋଲିସ ସୂଚନା ଦେଇଛି।