ଅନୁଗୁଳ: ଦୋକାନ ଖୋଲିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଅନୁଗୁଳ ଜିଲ୍ଲା ସଦର ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ସୂଚନା ମୁତାବକ, ସଦର ଥାନା ଅନ୍ତର୍ଗତ କୁମଣ୍ଡ ଗ୍ରାମର ସନାତନ ସାହୁଙ୍କ ପୁଅ ପ୍ରଶାନ୍ତ ସାହୁ (୨୭) ସୋମବାର ଦିନ ଗାଁରେ ଲକ୍ଷ୍ମୀ ପୂଜାର ଭସାଣି ଶୋଭାଯାତ୍ରା ସାରି ଘରକୁ ଫେରୁଥିବା ବେଳେ ଜରାସିଂହା ହାଇସ୍କୁଲ ପାଖରେ ଥିବା ତାଙ୍କ ଜଳଖିଆ ଦୋକାନକୁ ରାତି ପ୍ରାୟ ୧୨ଟା ସମୟରେ ଯାଇଥିଲେ। ଫୋନ୍ ରେ ତାଙ୍କ ସାଙ୍ଗ ସହିତ କଥା ହୋଇ ଦୋକାନ ଖୋଲୁଥିବା ବେଳେ ସେ ବିଦ୍ୟୁତ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ପଡ଼ି ଯାଇଥିଲେ। ତାଙ୍କ ସାଙ୍ଗ ବାରମ୍ବାର ଫୋନ୍ କରିବା ପରେ ସେ ଫୋନ୍ ଉଠାଇବାରୁ ଦୋକାନ ପାଖକୁ ଆସି ଦେଖିବା ବେଳକୁ ପ୍ରଶାନ୍ତ ତଳେ ପଡ଼ିଥିଲେ। ସେଠାରୁ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ମଙ୍ଗଳବାର ଦିନ ପୋଲିସ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବେ ରାତିରେ ପ୍ରବଳ ବର୍ଷା ହୋଇଥିବାରୁ ଦୋକାନ ସାରା ଓଦା ଥିବାବେଳେ ସେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିବା ଜଣାଯାଇଛି। ପ୍ରଶାନ୍ତଙ୍କ ଏଭଳି ଅଚାନକ ମୃତ୍ୟୁକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି।