ଘଟଣା ଓ ଦୁର୍ଘଟଣା

ପେଟ୍ରୋଲ ପମ୍ପ ସାମ୍ନାରେ ବେଆଇନ ଟ୍ରକ ପାର୍କିଂ ଯୋଗୁଁ ଦୁର୍ଘଟଣା, ବାଇକ ଚାଳକ ମୃତ

By Sanjeeb Biswal

November 16, 2022

ଛେଣ୍ଡିପଦା: ବେଆଇନ ପାର୍କିଂ ଯୋଗୁ ଗଲା ନିରୀହ ଜୀବନ। ବୁଧବାର ସ୍ଥାନୀୟ ଛେଣ୍ଡିପଦା ଥାନା ଗୋପୀନାଥପୁର ଠାରେ ଥିବା ଥିବା ଜିନ୍ଦଲ ପେଟ୍ରୋଲ ପମ୍ପ ସାମ୍ନାରେ ଏକ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ଜୀବନ ଯାଇଛି। ଏଠାରେ ବେଆଇନ ଭାବେ କୋଇଲା ବୋଝେଇ ଟ୍ରକ ପାର୍କିଂ ହେଉଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ମୃତକ ହେଲେ ଛେଣ୍ଡିପଦା ଥାନା ପୋଡପଡ଼ା ତଳସାହିର ବିଜୟ କୁମାର ପ୍ରଧାନଙ୍କ ପୁଅ ପ୍ରତ୍ୟୁଷ କୁମାର ପ୍ରଧାନ (୨୫)।

ସୂଚନା ମୁତାବକ, ପ୍ରତ୍ୟୁଷ ବୁଧବାର ଅପରାହ୍ନରେ ଭଲିବଲ ମ୍ୟାଚ୍ ଦେଖିବା ପାଇଁ କସିଡିହ ଯାଇଥିଲେ। ମ୍ୟାଚ୍ ଦେଖି ସାରି ସେ ନିଜ ବାଇକରେ ଫେରୁଥିବା ବେଳେ ଅନୁଗୁଳ – ଛେଣ୍ଡିପଦା ୬୩ ନମ୍ୱର ରାଜ୍ୟ ରାଜପଥର ଗୋପୀନାଥପୁରରେ ଥିବା ଜିନ୍ଦଲ ପେଟ୍ରୋଲ ପମ୍ପ ସମ୍ମୁଖରେ କୋଇଲା ବୋଝଇ ଟ୍ରକ ପଛରେ ପିଟି ହୋଇଯାଇଥିଲେ।ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହେଇଥିଲା। ଏ ନେଇ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା।

ଖବର ପାଇ ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି। ଅନ୍ୟପଟେ ଏହି ପେଟ୍ରୋଲ ପମ୍ପରେ ତେଲ ପକାଇବା ପାଇଁ ପ୍ରତ୍ୟେକ ଦିନ ଶହଶହ ଟ୍ରକ୍ ଜମା ହୋଇଥାନ୍ତି। ଫଳରେ ନିୟମିତ ମନୁଷ୍ୟକୃତ ଗହଳି ହୋଇଥାଏ। ଏହା ଉପରେ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।