ମୁଖ୍ୟ ଖବର

ରାତି ପାହିଲେ ହୋଇଥାନ୍ତା ବିବାହ: ହୋଲି ଖେଳି ସାରି ଗାଧୋଇବା ବେଳେ ପାଣିରେ ବୁଡ଼ି ଯାଇ ଗଲା ବର ଜୀବନ

By Biswaranjan Pattnaik

March 08, 2023

ଅନୁଗୁଳ: ସରିଥିଲା ସବୁ ପ୍ରସ୍ତୁତି। ହୋଲି ସରିଥିଲେ ପରଦିନ ହୋଇଥାନ୍ତା ରୀତିନୀତି ଅନୁଯାୟୀ ବିବାହ। କିନ୍ତୁ ବିଧିର ବିଧାନ ଥିଲା ଅଲଗା। ବାହା ହୋଇ ବୋହୂକୁ ସସମ୍ମାନେ ଘରକୁ ଆଣିବା ପୂର୍ବରୁ ଚାଲିଗଲା ବର ନିଶା ବେହେରାର ଜୀବନ। ପୁରୁଣାକୋଟ ଥାନା ଜଗନ୍ନାଥପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି, ଯାହା ପୂରା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।

ସୂଚନା ମୁତାବକ, ଜଗନ୍ନାଥପୁରର ନିଶା ବେହେରା(୨୩) ବାଗେଡିଆ ନୂଆଗାଁ ଅଞ୍ଚଳର ଗୋଟିଏ ଝିଅକୁ ଭଲ ପାଇ ଘରକୁ ନେଇ ଆସିଥିଲେ। ହୋଲି ପରଦିନ ଗାଁ ମନ୍ଦିରରେ ବରଣମାଳା ପଡ଼ିଥାନ୍ତା। ଏଣୁ ଘରେ ସବୁ ପ୍ରସ୍ତୁତି ସରିଥିଲା। ଖୁସିର ମାହୋଲରେ ହୋଲି ଖେଳି ସାରି ନିଶା ଆଜି ଦିନ ପ୍ରାୟ ଗୋଟାଏ ବେଳକୁ ପାଖ ଜୋରକୁ ଏକ ଛୁଆ ସହ ଗାଧୋଇବାକୁ ଯାଇଥିଲେ। କିନ୍ତୁ ସେ ପାଣିରେ ପଶି ଆଉ ଉଠି ପାରିନଥିଲେ। ଛୁଆଟି ଘରକୁ ଆସି ଏ ନେଇ ଖବର ଦେଇଥିଲା। ଘର ଲୋକ ତୁରନ୍ତ ନିଶାକୁ ପାଣିରୁ ଉଦ୍ଧାର କରି ଅନୁଗୁଳ ଡାକ୍ତରଖାନା ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ନିଶାକୁ ମୃତ ଘୋଷଣା କରିଛନ୍ତି।

ରାତି ପାହିଲେ ଯେଉଁ ଭେଣ୍ଡିଆ ପୁଅ ଘରକୁ ବୋହୂ ଆଣିଥାନ୍ତା, ଆଜି ତା’ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି।