ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ବାଗେଡିଆ ଥାନା ପୁରୁଣାଗଡ ଗ୍ରାମର ଝାରଗଡ଼ିଆ ପୋଖରୀରୁ ସେହି ଗାଁର ଶ୍ରୀକାନ୍ତ ବିଶ୍ବାଳଙ୍କର ମୃତ ଦେହ ଉଦ୍ଧାର ହୋଇଛି। ସୂଚନା ମୁତାବକ, ଶ୍ରୀକାନ୍ତ ଆଜି ପୂର୍ବାହ୍ନରେ ପୋଖରୀକୁ ଶୌଚ ହେବାକୁ ଯାଇଥିଲେ। ଦୀର୍ଘ ସମୟ ଯାଏଁ ସେ ଘରକୁ ନ ଫେରିବାରୁ ପରିବାର ଲୋକ ବହୁ ଖୋଜା ଖୋଜି କରିଥିଲେ ହେଲେ ତାଙ୍କ ଖବର ପାଇ ନଥିଲେ। ପରେ ଗାଁ ଲୋକ ପୋଖରୀରେ ଶ୍ରୀକାନ୍ତଙ୍କ ମୃତ ଦେହ ଭାସୁଥିବା ଦେଖି ପରିବାରକୁ ଖବର ଦେଇଥିଲେ। ପରିବାର ଲୋକ ପହଞ୍ଚି ତାଙ୍କୁ ପୋଖରୀରୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପରିବାର ପକ୍ଷରୁ ବାଗେଡିଆ ପୋଲିସକୁ ସୂଚନା ଦିଆଯିବା ପରେ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରାଯାଇଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।