ମୁଖ୍ୟ ଖବର

ତାଳଚେର ଅଞ୍ଚଳର ବିଭିନ୍ନ ସମସ୍ୟା ସମାଧାନ ଦାବି: ଘଣ୍ଟାଏ କାଳ ଜାତୀୟ ରାଜପଥ ବନ୍ଦ କଲେ ଢେଙ୍କାନାଳ ସାଂସଦ ମହେଶ ସାହୁ

By Angul TV Bureau

November 09, 2023

ତାଳଚେର : ବିଭିନ୍ନ ଦାବି ନେଇ ଆଜି ଢେଙ୍କାନାଳ ସାଂସଦ ମହେଶ ସାହୁ ଜାତୀୟ ରାଜପଥକୁ ଏକ ଘଣ୍ଟା ପାଇଁ ବନ୍ଦ କରିଥିବା ଜଣାଯାଇଛି। ତାଙ୍କ ଦାବି ଅନୁସାରେ, ତାଳଚେର ଅଞ୍ଚଳରେ ରହିଥିବା ବିଭିନ୍ନ ରାଷ୍ଟ୍ରାୟତ୍ତ ଓ ଘରୋଇ ସଂସ୍ଥା ସେମାନଙ୍କର ସିଏସ୍‌ଆର ଫଣ୍ଡକୁ ସଠିକ ଭାବେ ବିନିଯୋଗ କରୁ ନାହାନ୍ତି, ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ​ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି, ମରଣଯନ୍ତା ପାଲଟିଥିବା ଜାତୀୟ ରାଜପଥକୁ ମରାମତି ସହ ତୁରନ୍ତ ସଂପ୍ରସାରଣ କରାଯାଉ।

ଏ ନେଇ ଆଜି ସ୍ଥାନୀୟ ଗୋଡିବନ୍ଧ ଛକ ନିକଟରେ ସକାଳ ଆଠଟାରୁ ୯ ଟା ପର୍ଯ୍ୟନ୍ତ ଜାତୀୟ ରାଜପଥ ୧୪୯କୁ ଅବରୋଧ କରାଯାଇଥିଲା। ଢେଙ୍କାନାକ ସାଂସଦ ମହେଶ ସାହୁଙ୍କ ନେତୃତ୍ୱରେ ସମର୍ଥକମାନେ ରାସ୍ତା ଉପରେ ପାଲ ପକାଇ ବସିବା ଦ୍ୱାରା ରାସ୍ତାରେ କୌଣସି ଗାଡି ମୋଟର ଚଳାଚଳ କରିପାରି ନଥିଲା। ଫଳରେ ଉଭୟ ପାର୍ଶ୍ଵରେ ଶହ ଶହ ଗାଡ଼ି ଅଟକି ରହିଥିଲା। ଅଭିଯୋଗ ମୁତାବକ, ଏଠାରେ କାର୍ଯ୍ୟରତ ରାଷ୍ଟ୍ରାୟତ୍ତ ଓ ଘରୋଇ ସଂସ୍ଥାଗୁଡ଼ିକ ପ୍ରଚୁର ପରିମାଣରେ ଲାଭ କରିଥିଲା ବେଳେ ନିୟମାନୁଯାୟୀ ଲାଭାଂଶରୁ (ସି ଏସ ଆର) ସାମାଜିକ ଦାୟିତ୍ୱବୋଧ ପାଣ୍ଠିକୁ ଅଞ୍ଚଳର ବିକାଶ ଦିଗରେ ଖର୍ଚ୍ଚ କରୁନାହାନ୍ତି। ତୁରନ୍ତ ଗତମାସ ଲାଭାଂଶରୁ ୫୧ କୋଟି ଟଙ୍କା ଏହି ପାଣ୍ଠିରେ ଡିପୋଜିଟ କରିବା ପାଇଁ ସାଂସଦ ଦାବି କରିଥିଲେ, ନଚେତ୍ ଏହି ଆନ୍ଦୋଳନ ଆଗକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଥିଲେ। ଆନ୍ଦୋଳନରେ ୯ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ପ୍ରଧାନ, ସୁନୀଲ ପ୍ରଧାନ, ବାବୁଲା ସାହୁ, ନିର୍ମଳ ସାହୁ, ରାଜୀବ ରାଉତ, ବାବୁନି ସ୍ୱାଇଁ, ରୋହିତ ବେହେରା, ସୁବାସ ସାହୁଙ୍କ ସମେତ ନିର୍ବାଚିତ, ସମିତି ସଭ୍ୟ ସରପଞ୍ଚ ଓ ସମର୍ଥକ ସାମିଲ ହୋଇଥିଲେ।