ଘଟଣା ଓ ଦୁର୍ଘଟଣା

ଶବ ଦାହ ସାରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ, ଗୋଡ଼ ଖସିଯିବାରୁ ଜଣେ ମୃତ

By Angul TV Bureau

January 13, 2025

ଅନୁଗୁଳ : ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଶୁଶୁଡା ପଞ୍ଚାୟତ ଗୋପିନାଥପୁର ଗ୍ରାମରେ ପୋଖରୀରେ ବୁଡ଼ି ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗୋପିନାଥପୁର ଗ୍ରାମର କାଉଁରୀ ବନ୍ଧୁ ଖିଲାରଙ୍କ ପୁଅ ସନ୍ନ୍ୟାସୀ ଖିଲାର (୪୮)। ସୂଚନା ମୁତାବକ, ଗତ କାଲି ଗୋପିନାଥପୁର ଗ୍ରାମରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଗ୍ରାମବାସୀଙ୍କ ସହ ସନ୍ନ୍ୟାସୀ ଖିଲାର ମଧ୍ୟ ଶ୍ମଶାନକୁ ଶବ ଦାହ କରିବା ପାଇଁ ଯାଇଥିଲେ। ଘରକୁ ଫେରିବା ପୂର୍ବରୁ ସେ ପୋଖରୀରେ ଗାଧୋଇବାକୁ ଯାଇଥିଲେ। ପୋଖରୀ ହୁଡ଼ାରେ ଚପଲ ଏବଂ ଗଞ୍ଜି ରଖି ପାହାଚ ଉପରେ ଗାଧୋଇବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ପାଣିରେ ବୁଡି ଯାଇଥିଲେ ସନ୍ନ୍ୟାସୀ। ସନ୍ନ୍ୟାସୀଙ୍କ ପୁଅ ଏବଂ ସ୍ତ୍ରୀ ତାଙ୍କୁ ଖୋଜିବାକୁ ପୋଖରୀ ନିକଟକୁ ଆସି ଦେଖିଲା ବେଳକୁ ହୁଡ଼ା ଉପରେ ଚପଲ ଏବଂ ଗଞ୍ଜି ରହିଛି। ସଙ୍ଗେ ସଙ୍ଗେ ସେ ଅନୁଗୁଳ ଟାଉନ ଥାନା ଏବଂ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚି ସନ୍ନ୍ୟାସୀଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ସେତେବେଳକୁ ତାଙ୍କ ମୃତ୍ୟୁ ହୋଇସାରିଥିଲା। ଟାଉନ ପୋଲିସ ଶବକୁ ଜବତ କରି ବ୍ଯବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଛି।