ମୁଖ୍ୟ ଖବର

ଗୋଡ଼ାଇଲା ଦନ୍ତା: ତଳେ ପଡ଼ି ଜଣେ ମୃତ, କ୍ଷତିପୂରଣ ଦାବିରେ ଗାଁ ଲୋକଙ୍କ ରାସ୍ତାରୋକ୍

By Angul TV Bureau

November 21, 2022

ଆଠମଲ୍ଲିକ : ଆଠମଲ୍ଲିକ ବନଖଣ୍ଡ ଅଧୀନସ୍ଥ ପୁରୁଣାମାଣତ୍ରୀ ପଞ୍ଚାୟତ ରାଜିଙ୍ଗ ଗ୍ରାମରେ ଧାନବିଲ ଜଗିବାକୁ ଯାଇଥିବା ଜଣେ ବ୍ୟକ୍ତିଙ୍କୁ ହାତୀ ଗୋଡ଼ାଇବାରୁ ତଳେ ପଡି ତାଙ୍କ ମୃତ୍ୟୁ ଘଟିଛି। ମୃତକ ରମେଶ ସାହୁ (୩୫) ବୋଲି ଜଣାପଡ଼ିଛି। ମୃତ ରମେଶର ପତ୍ନୀ ଦୀପ୍ତିମୟୀ ସାହୁ ସ୍ୱାମୀର ମୃତ୍ୟୁ ପାଇଁ ଜଙ୍ଗଲ ବିଭାଗକୁ ଦାୟୀ କରି ଉପଜିଲ୍ଲାପାଳଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବା ପାଇଁ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ, ରମେଶ ଗତ ରବିବାର ପରିବାର ସଦସ୍ୟ ଓ ଗାଁର ଶ୍ରୀଧର ବିଶ୍ୱାଳଙ୍କ ସହ ମିଶି ପଥରଟୀକା ସ୍ଥିତ ଧାନବିଲ ଜଗିବାକୁ ଯାଇଥିଲେ। ରବିବାର ବିଳମ୍ବିତ ରାତିରେ ହାତୀମାନେ ବିଲରେ ପଶି ଧାନ ନଷ୍ଟ କରିଥିଲେ। ହାତୀକୁ ଘଉଡ଼ାଇବା ପାଇଁ ଗାଁ ଲୋକେ ଜଙ୍ଗଲ ବିଭାଗକୁ ଫୋନ ଯୋଗେ ଜଣାଇଥିଲେ। କିନ୍ତୁ ଦାୟିତ୍ୱରେ ଥିବା ବନପାଳ ଏଥିପ୍ରତି କର୍ଣ୍ଣପାତ କରିନଥିଲେ। ଫଳରେ ରମେଶ ଓ ଅନ୍ୟମାନେ ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ହାତୀ ଓଲଟି ରମେଶଙ୍କୁ ମାରିବାକୁ ଗୋଡ଼ାଇଥିଲା। ଭୟରେ ଜୀବନ ବଞ୍ଚାଇବାକୁ ରମେଶ ଦୌଡ଼ିଥିଲେ। କିନ୍ତୁ ତଳେ ପଡିଯାଇଥିଲେ। ତାଙ୍କୁ ପରିବାର ସଦସ୍ୟ ଓ ଗ୍ରାମବାସୀ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ରମେଶଙ୍କ ମୃତ୍ୟୁ ପରେ ପରିବାର ଓ ଗ୍ରାମବାସୀ କ୍ଷତିପୂରଣ ଦାବିରେ ସୋମବାର ସକାଳୁ ୬୨ ନମ୍ବର ରାଜ୍ୟ ରାଜପଥର ପୁରୁଣାମାଣତ୍ରୀ ହାଇସ୍କୁଲ ଛକ ନିକଟରେ ମୃତଦେହକୁ ରାସ୍ତାରେ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଘଟଣା ସ୍ଥଳରେ ସହକାରୀ ବନ ସରଂକ୍ଷକ ଗୌରୀ ଶଙ୍କର ଦାସ ପହଞ୍ଚି ବୁଝାସୁଝା କରିଥିଲେ। ପରେ ଘଟଣାସ୍ଥଳକୁ ଯାଇ ସତ୍ୟାସତ୍ୟ ଅନୁସନ୍ଧାନ କରିଥିଲେ। ଶେଷରେ ସହକାରୀ ବନସଂରକ୍ଷକ ଶ୍ରୀ ଦାସ ଶବ ବ୍ୟବଚ୍ଛେଦ ରିପୋର୍ଟ ସହ ଅନୁକମ୍ପା ରାଶି ପାଇବା ପାଇଁ ଆବେଦନ କଲେ କ୍ଷତିପୂରଣ ବାବଦକୁ ୪ ଲକ୍ଷ ଟଙ୍କା ମୃତକଙ୍କ ପତ୍ନୀକୁ ପ୍ରଦାନ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ରାସ୍ତାରୋକ ହଟିଥିବା ଜଣାଯାଇଛି।