ଅନ୍ୟାନ୍ୟ

‘ବ୍ଲାକ୍ ଡାଇମଣ୍ଡ’ରେ ଏଣ୍ଟ୍ରି ପାଇଁ ଅନ୍ ଲାଇନ୍ ବୁକିଂ ବ୍ୟବସ୍ଥା ଉଦ୍‌ଘାଟିତ, ପ୍ରତି ଘଣ୍ଟାରେ ୩୦ଟି ଟିକେଟ କରିପାରିବେ ବୁକ୍

By Angul TV Bureau

January 02, 2024

ଅନୁଗୁଳ: ଅନୁଗୁଳସ୍ଥିତ ବିଶ୍ବସ୍ତରୀୟ ଅତ୍ୟାଧୁନିକ ପାଠାଗାର ଓ ସଂଗ୍ରହାଳୟ ‘ବ୍ଲାକ୍ ଡାଇମଣ୍ଡ’ର ଲୋକପ୍ରିୟତା ଦିନକୁ ଦିନ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ପାଠକଙ୍କ ସୁବିଧା ପାଇଁ ସୋମବାର ଅପରାହ୍ନରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଅନଲାଇନ୍ ବୁକିଂ ବ୍ୟବସ୍ଥାକୁ ସ୍ଥାନୀୟ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ରଠାରେ ଉଦ୍‌ଘାଟନ କରିଛନ୍ତି।

ଏ ଅବସରରେ ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ସୁବ୍ରତ କୁମାର ଚାଟାର୍ଜୀ ଅନଲାଇନ୍ ବୁକିଂ ପଞ୍ଜିକରଣ ବ୍ୟବସ୍ଥା ଉପରେ ଅବଗତ କରାଇଥିଲେ। ଏହି ବ୍ୟବସ୍ଥାକୁ ଖୁବ୍ କମ୍ ସମୟ ମଧ୍ୟରେ ଲାଗୁ କରାଯାଇଥିବାରୁ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ରର ଅଧିକାରୀଙ୍କୁ ଜିଲ୍ଲାପାଳ ଧନ୍ୟବାଦ ଦେଇଥିଲେ। ବୁକିଂ କରିବାକୁ ଇଚ୍ଛୁକ ବ୍ୟକ୍ତି www.angul.nic.in ୱେବସାଇଟ୍‌ ଯାଇ Black Diamond Reservation ଉପରେ କ୍ଲିକ୍ କରି ନିଜର ନାମ, ମୋବାଇଲ ନମ୍ବର ଓ ଇ- ମେଲ ଦେଇ ପଞ୍ଜିକରଣ କରିପାରିବେ। ପଞ୍ଜିକରଣ ପରେ ବ୍ଲାକ୍ ଡାଇମଣ୍ଡକୁ ପ୍ରବେଶ ପାଇଁ ଟିକେଟ ବୁକିଂ କରିପାରିବେ। ଜଣେ ବ୍ୟକ୍ତି ପ୍ରତି ଘଣ୍ଟା ପାଇଁ ସର୍ବାଧିକ ୩୦ଟି ଟିକେଟ ବୁକିଂ କରିପାରିବେ। ଅନଲାଇନ୍ ବୁକିଂ ପରେ ବୁକିଂ ସମୟରେ ଦିଆଯାଇଥିବା ମୋବାଇଲ ନମ୍ବର ଓ ଇ- ମେଲରେ ବୁକିଂ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପଲବ୍ଧ ହେବ। ଏହି ବୁକିଂ ତଥ୍ୟକୁ ବ୍ଲାକ୍ ଡାଇମଣ୍ଡର କାଉଣ୍ଟର ପାଖରେ ଦେଖାଇ ଉପଯୁକ୍ତ ଫି ପୈଠ କରି ପାଠକପ୍ରବେଶ କରିପାରିବେ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଜିଲ୍ଲା ନିଜାରତ ଅଧିକାରୀ ଓ ଜିଲ୍ଲା ଖଣିଜ ପାଣ୍ଠିର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।