ଅନୁଗୁଳ: ଏକ ଅନଲାଇନ୍ ନିବେଶ ଠକେଇ ଘଟଣାରେ ସମ୍ପୃକ୍ତ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି ଅନୁଗୁଳ ଜିଲ୍ଲା ପୋଲିସ। ଏହି ଅଭିଯୁକ୍ତମାନେ ୧୨,୫୬,୦୦୦ ଟଙ୍କା ଠକେଇ କରିଥିଲେ। ଅଭିଯୋଗର ୪୮ ଘଣ୍ଟା ମଧ୍ୟରେ ସମସ୍ତ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅନୁଗୁଳ ସାଇବର ଅପରାଧ ଏବଂ ଅର୍ଥନୈତିକ ଅପରାଧ ପୋଲିସ ଷ୍ଟେସନ, କେସ ନଂ.୨୯ରେ ଗତ ୮ ତାରିଖରେ ରୁଜୁ ହୋଇଥିବା ମାମଲା ଅନୁସାରେ ଅଭିଯୋଗକାରୀଙ୍କୁ ଜଣେ ଅଜଣା ବ୍ୟକ୍ତି ୧୫.୧୧.୨୦୨୫ ରେ ଟେଲିଗ୍ରାମରେ ଯୋଗାଯୋଗ କରିଥିଲେ। ତାଙ୍କୁ ଲାଭ, CIBIL ସ୍କୋର ଉନ୍ନତି ଏବଂ “ସୁଇସ୍ ଏକ୍ସଚେଞ୍ଜ ଆକାଉଣ୍ଟ”କୁ ଅଣଫ୍ରିଜ୍ କରିବାର ମିଥ୍ୟା ପ୍ରତିଶ୍ରୁତି ଦେଇ ପର୍ଯ୍ୟାୟକ୍ରମେ ଟଙ୍କା ଟ୍ରାନ୍ସଫର୍ କରିବାକୁ କହିଥିଲେ। ଅନୁଗୁଳ ପୋଲିସର ଏକ ଟିମ୍ ନୟାଗଡ଼ ଜିଲ୍ଲାରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲେ। ଗିରଫମାନେ ହେଲେ ସରଣକୁଳ ଥାନା ଅଞ୍ଚଳର ଜ୍ୟୋତି ନାୟକ, ପ୍ରତାପ ନାୟକ, ରାମଚନ୍ଦ୍ର ମୁଦୁଲି ଓ ଦିବ୍ୟରଂଜନ ଜେନା। ସେମାନଙ୍କ ଠାରୁ ନଗଦ ୬୯,୦୦୦ ଟଙ୍କା ଜବତ କରାଯାଇଛି। ଏଥିସହ ୭ ଟି ମୋବାଇଲ ଫୋନ୍, ବ୍ୟାଙ୍କ ବହି, ଡେବିଟ୍ କାର୍ଡ, ଆଧାର କାର୍ଡ, ପାନ କାର୍ଡ, ଗୋଟିଏ ଚେକବୁକ୍ ଠକେଇ ପାଇଁ ବ୍ୟବହୃତ ୪ଟି UPI-ଲିଙ୍କ୍ ସିମ୍ କାର୍ଡ ପ୍ରଭୃତି ଜବତ କରାଯାଇଛି।