ଅନୁଗୋଳ: ସ୍ଥାନୀୟ କଦମ ପଡିଆରେ ଶୁକ୍ରବାର ଅପରାହ୍ନରେ ଓପି ଜିନ୍ଦଲଙ୍କ ୯୬ ତମ ଜୟନ୍ତୀ ଅବସରରେ ଏକ ସ୍ମାରକୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଅନୁଗୋଳ ଫରେଷ୍ଟ ରେଞ୍ଜର ଟ୍ରେନିଂ କଲେଜ ନିର୍ଦ୍ଦେଶକ ସଞ୍ଜୟ କୁମାର ସ୍ୱାଇଁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ। ଜିଲ୍ଲା ତଥା ଓଡ଼ିଶାର ବିକାଶ ଦିଗରେ ଜିନ୍ଦଲ ଫାଉଣ୍ଡେସନର ବିଶେଷ ଅବଦାନ ରହିଛି ବୋଲି ଶ୍ରୀ ସ୍ୱାଇଁ କହିଥିଲେ।
ଏହି ସମାରୋହରେ ସମ୍ମାନିତ ଅତିଥି ରୂପେ ମାନବ ସମ୍ବଳ ବିଭାଗ ଭାଇସ୍ ପ୍ରେସିଡେଣ୍ଟ କ୍ଷୀରୋଦ ଚନ୍ଦ୍ର ବାରିକ,ସିଏସଆର ବିଭାଗର ବରିଷ୍ଠ ଅଧିକାରୀ ଜୟନ୍ତ ମହାନ୍ତି,ଜିଲ୍ଲା କ୍ରୀଡା ସଂସଦର ବରିଷ୍ଠ ସଦସ୍ୟ ପ୍ରଦୀପ କୁମାର ଦେବତା,ରମେଶ ଚନ୍ଦ୍ର ସାହୁ,ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସୀଠ ପ୍ରମୁଖ ଯୋଗ ଦେଇଥିଲେ।ଜିନ୍ଦଲ ଷ୍ଟିଲର କ୍ରୀଡା ଅଧିକାରୀ ତାପସ ମହାନ୍ତିଙ୍କ ସମେତ ଲୋକ ସମ୍ପର୍କ ଅଧିକାରୀ ପ୍ରତ୍ୟୁଷ କୁମାର ସା ଖେଳ ପରିଚାଳନାରେ ସହଯୋଗ କରିଥିଲେ।
ଉଦ୍ଘାଟନୀ ମ୍ୟାଚ୍ ପାଲଲହଡ଼ା ଓ ଭଞ୍ଜନଗର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପାଲଲହଡ଼ା ୪-୨ ଗୋଲ ବ୍ୟବଧାନରେ ଭଞ୍ଜନଗରକୁ ପରାସ୍ତ କରିଥିଲା। ରାଜେଶ୍ ମୁଣ୍ଡା ଶ୍ରେଷ୍ଠ ଖେଳାଳି ରୂପେ ପୁରସ୍କୃତ ହୋଇଥିଲେ। ଖେଳ ପରିଚାଳନା କରିଥିଲେ ଆଲୋକ ଦେହୁରୀ ଓ ଲାଇନରେ ସହାୟତା କରିଥିଲେ ଧନେଶ୍ୱର ସର୍ଦ୍ଦାର ଏବଂ ପାପୁନ ବେହେରା। ଆଜି ପାଲଲହଡ଼ା ଓ ରାଉରକେଲା ମଧ୍ୟରେ ଖେଳ ଅନୁଷ୍ଠିତ ହେବ ।