ଅନ୍ୟାନ୍ୟ

ଅଫ୍‌ଲାଇନ୍ ପରୀକ୍ଷାକୁ ବିରୋଧ

ଅନଲାଇନ୍ ପରୀକ୍ଷା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

By Biswaranjan Pattnaik

April 16, 2021

ଅନୁଗୁଳ: କରୋନାର ଦ୍ୱିତୀୟ ଲହରୀ ଭୟଙ୍କର ସାବ୍ୟସ୍ତ ହୋଇଛି। ଦ୍ରୁତ ସଂକ୍ରମଣ କରି ମାଡ଼ି ଚାଲିଛି ଏହି ମାରାତ୍ମକ ଭୂତାଣୁ । ରାଜ୍ୟରେ ଏବେ କରୋନା ସ୍ଥିତି ସଙ୍ଗୀନ୍। ହୁ ହୁ ହୋଇ ବଢୁ ଛି ସଂକ୍ରମଣ। ଏଥିରୁ ବାଦ୍ ପଡ଼ିନି ଅନୁଗୁଳ। ଶିଳ୍ପନଗରୀ ଅନୁଗୁଳ ଜିଲ୍ଲାରେ ମଧ୍ୟ ଉଦ୍‌ବେଗଜନକ ଭାବେ ବଢ଼ିଚାଲିଛି ସଂକ୍ରମଣ। ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ଅନୁଗୁଳ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ତାଳଚେର ମହାବିଦ୍ୟାଳୟର ସମସ୍ତ ସେମିଷ୍ଟାର ପରୀକ୍ଷାକୁ ଅନ୍‌ଲାଇନ୍‌ରେ କରିବାକୁ ଦାବି ହୋଇଛି । ଅଫ୍‌ଲାଇନ୍ ପରୀକ୍ଷାକୁ ବିରୋଧ କରି ଗୁରୁବାର ଯୁକ୍ତ ୩ ଛାତ୍ରଛାତ୍ରୀମାନେ ଅନୁଗୁଳ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କରୋନାର ସଂକ୍ରମଣ ବଢ଼ୁଥିବାରୁ ଅଫଲାଇନ୍ ହେଲେ ଛାତ୍ରଛାତ୍ରୀମାନେ ସଂକ୍ରମିତ ହେବାର ଆଶଙ୍କା ରହିଛି ବୋଲି ଛାତ୍ର ଛାତ୍ରୀମାନେ ଅଭିଯୋଗ କରିଥିଲେ। ପରେ ଶତାଧିକ ଛାତ୍ରଛାତ୍ରୀ ଅନୁଗୁଳ କଲେଜରୁ ଚାଲି ଚାଲି ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜୀ କରିଥିଲେ। ଯୁକ୍ତ ୩ ଦ୍ବିତୀୟ ବର୍ଷର ତୃତୀୟ ସେମିଷ୍ଟାର ପରୀକ୍ଷାକୁ ଅଫଲାଇନରେ କରିବାକୁ ସେମାନେ ଦାବି କରିଥିଲେ । ପରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ଏନେଇ ଜିଲ୍ଲାପାଳ ଉଚ୍ଚଶିକ୍ଷା ସଚିବଙ୍କୁ ଜଣାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ବିକ୍ଷୋଭ ପ୍ରଦର୍ଶନରେ ପୂର୍ବତନ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଲୁଲୁ ପାଣିଗ୍ରାହୀ ଓ ଛାତ୍ର କଂଗ୍ରେସ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦ୍ୟୁମ୍ନ ସାହୁ ଉପସ୍ଥିତ ଥିଲେ।