ଅନୁଗୋଳ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି ଓ ପରମ୍ପରାକୁ କଦର୍ଥ କରିବା ଏବଂ କାଳ୍ପନିକ ବ୍ୟଙ୍ଗ ତଥା କାର୍ଟୁନ ଚଳଚ୍ଚିତ୍ର ପ୍ରଦର୍ଶନକୁ ବିରୋଧ କରି ଅନୁଗୋଳ ଶୈଳଶ୍ରୀକ୍ଷେତ୍ର ସଦଭାବନା ମଣ୍ଡପରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ବିଶ୍ୱ ହିନ୍ଦୁ ପରିଷଦର ରାଜ୍ୟ ସମ୍ପାଦକ ତଥା ପୁରୀ ଶ୍ରୀମନ୍ଦିର ପରିଚାଳନା ସମିତିର ସଦସ୍ୟ ପଣ୍ଡିତ ମହେଶ ଜୀ ଏଥିରେ ଯୋଗଦେଇ କହିଛନ୍ତି ଯେ, କିଛି ସ୍ୱାର୍ଥାନ୍ୱେଷୀ ବ୍ୟକ୍ତି ବିଦେଶୀ ପ୍ରରୋଚନାରେ ଟଙ୍କା ଲୋଭରେ ଜଗନ୍ନାଥ ସଂସ୍କୃତି ପ୍ରତି କୁଠାରାଘାତ କରୁଛନ୍ତି। ଫିଲ୍ମ ସେନ୍ସର ବୋର୍ଡ ଏଭଳି ବିବାଦୀୟ ସିନେମାକୁ ଅନୁମତି ଦେବା ଅତ୍ୟନ୍ତ ନିନ୍ଦନୀୟ।
ଏହି କାଳ୍ପନିକ ଓ ବିବାଦୀୟ ସିନେମା ପ୍ରଦର୍ଶନକୁ ବନ୍ଦ କରିବା, ସେନ୍ସର ବୋର୍ଡ ସାର୍ଟିଫିକେଟ୍ ବାତିଲ ଏବଂ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟର ପୁନଃବିଚାର ପାଇଁ ଆଇନଗତ ଲଢ଼େଇ ଜାରି ରହିବ ବୋଲି ବୈଠକରେ ଚେତାବନୀ ଦିଆଯାଇଛି। କୋଟି କୋଟି ଜଗନ୍ନାଥ ପ୍ରେମୀ ଏହାକୁ ବିରୋଧ କରି ଜାଗ୍ରତ ହେବାକୁ ଆହ୍ୱାନ ଦିଆଯାଇଛି।ଏହି ସମ୍ମିଳନୀରେ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ହେମନ୍ତ କୁମାର ଦାସ, ଯୁଗ୍ମ ସମ୍ପାଦକ ଆନନ୍ଦ ଚନ୍ଦ୍ର ମହାପାତ୍ର, ଆଇନ ଉପଦେଷ୍ଟା ପରମାନନ୍ଦ ମିଶ୍ରଙ୍କ ସମେତ ବହୁ ଜଗନ୍ନାଥ ପ୍ରେମୀ ଭକ୍ତ ଉପସ୍ଥିତ ଥିଲେ।