ମୁଖ୍ୟ ଖବର

ସ୍ମାର୍ଟ ଇଲେକ୍ଟ୍ରିକ ମିଟରକୁ ସବୁ ଆଡ଼ୁ ବିରୋଧ, ହ୍ୟାକ୍ ହେବାର ରହିଛି ଅଧିକ ଆଶଙ୍କା!

By Biswaranjan Pattnaik

February 19, 2025

ଅନୁଗୁଳ: ରାଜ୍ୟରେ ସ୍ମାର୍ଟ ଇଲେକ୍ଟ୍ରିକ ମିଟର ଲାଗିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା ଗ୍ରାହକ ନିଜେ ମଧ୍ୟ ନିଜ ବିଲ୍ କେତେ ଆସିବ ଜାଣିପାରିବେ। ଏହା ୟୁଜର ଫ୍ରେଣ୍ଡଲି ବୋଲି ମଧ୍ୟ ଉଭୟ ସରକାର ଓ କମ୍ପାନୀ କହୁଛି। କିନ୍ତୁ ସାରା ରାଜ୍ୟରେ ଏହାକୁ ବିରୋଧ କରାଯାଉଛି। ଅନୁଗୁଳରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଏଠାରେ ମଧ୍ୟ ଲୋକେ ନୂଆ ସ୍ମାର୍ଟ ଇଲେକ୍ଟ୍ରିକ ମିଟରକୁ ବିରୋଧ କରିବା ସହ ଏହାର କାର୍ଯ୍ୟ ଦକ୍ଷତା ନେଇ ପ୍ରଶ୍ନ ଉଠାଇଛନ୍ତି।

କମ୍ପାନୀ କହିଛି, ପ୍ରତି ଘଣ୍ଟା ବା ପ୍ରତିଦିନ କେତେ ଶକ୍ତି ଖର୍ଚ୍ଚ କରୁଛନ୍ତି ତାହା ଜାଣିବା ସହ କେତେ ବିଲ୍ ହେଲା, କୌଣସି ତ୍ରୁଟି ହେଲେ ତାହାର ସମାଧାନ କିଭଳି ହେବ ତାହା ସାଙ୍ଗେ ସାଙ୍ଗେ କରାଯାଇ ପାରୁଛି। ଏହା ଦ୍ୱାରା ଉପଭୋକ୍ତା ଅଧିକ ମିତବ୍ୟୟୀ ହେବା ସହ ସ୍ମାର୍ଟ ସୁବିଧା ପାଇ ପାରିବେ ବୋଲି କମ୍ପାନୀ କହୁଛି।

କିନ୍ତୁ ପ୍ରକୃତରେ ସ୍ମାର୍ଟ ଇଲେକଟ୍ରିକ ମିଟର ଇଣ୍ଟରନେଟ ଏବଂ ସ୍ୱତନ୍ତ୍ର ଆପ ଦ୍ୱାରା ଚାଲିବାକୁ ଥିବାରୁ ଏହା ଅନ୍ୟ ଆପ୍ ଭଳି ହ୍ୟାକ ମଧ୍ୟ ହୋଇପାରେ। କେହି ଯଦି ହ୍ୟାକ କରେ ତେବେ ନିରବଛିନ୍ନ ବିଦ୍ୟୁତ ପାଇବାରେ ସମସ୍ୟା ଦେଇପାରେ। ଏହା ଦ୍ୱାରା ତ୍ରୁଟିପୂର୍ଣ୍ଣ ବିଲ୍ ମଧ୍ୟ ଆସିବା ଆଶଙ୍କା ରହିଛି।ଅପରପକ୍ଷରେ ଯଦି ବିଦ୍ୟୁତ ମିଟର ହ୍ୟାକ୍ ହୁଏ ତେବେ ଇଲେକ୍ଟ୍ରିକ ବ୍ୟବହାର ନ କରି ବିଲ୍ ଗଣିବେ ଲୋକ। ଫଳରେ ଅଯଥା ଖର୍ଚ୍ଚାନ୍ତ ହେବା ଆଶଙ୍କା ରହିଛି।

ଅନ୍ୟପଟେ ଦୁର୍ବଳ ଇଣ୍ଟରନେଟ ଏବଂ କୌଣସି ଇଲେକ୍ଟ୍ରୋମ୍ୟାଗ୍ନେଟିକ ପ୍ରଭାବରେ ସ୍ମାର୍ଟ ମିଟର ପ୍ରଭାବିତ ମଧ୍ୟ ହୋଇପାରେ। ଏଥିରେ ଉପଭୋକ୍ତା କ୍ଷତିର ସମ୍ମୁଖୀନ ହେବାର ସମ୍ଭାବନା ଥିବାରୁ ସ୍ମାର୍ଟ ଇଲେକ୍ଟ୍ରିକ ମିଟରକୁ ସବୁ ଆଡୁ ବିରୋଧ କରାଯାଉଛି।