ଅନ୍ୟାନ୍ୟ

ସ୍ମାର୍ଟ ମିଟରକୁ ବିରୋଧ ସହ ଅନ୍ୟାନ୍ୟ ଦାବି ନେଇ ଆଠମଲ୍ଲିକ ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

By Angul TV Bureau

December 11, 2025

ଅନୁଗୁଳ: ସ୍ମାର୍ଟ ମିଟରକୁ ବିରୋଧ ସହ ଅନ୍ୟାନ୍ୟ ଦାବି ନେଇ ଆଜି ଏସୟୁସିଆଇ (କମ୍ୟୁନିଷ୍ଟ) ପକ୍ଷରୁ ଆଠମଲ୍ଲିକ ଉପଜିଲ୍ଲାପାଳ ଅଫିସ ଘେରାଉ କରାଯାଇଛି। ଘେରାଉ ପୂର୍ବରୁ ଶତାଧିକ ପୁରୁଷ, ମହିଳା ସ୍ଥାନୀୟ ଖେଳପଡିଆ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବଜାର ଗାନ୍ଧୀ ଛକ ଦେଇ ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ଏସୟୁସିଆଇ (କମ୍ୟୁନିଷ୍ଟ) ଜିଲ୍ଲା କମିଟି ସଭ୍ୟ ତୀର୍ଥବାସୀ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ରମଣୀ ରଂଜନ ପ୍ରଧାନ, ଲକ୍ଷ୍ମଣ ବେହେରା, ଚିତ୍ତ ରଂଜନ ମେଣ୍ଡୁଳି, ସରୋଜିନୀ ବେହେରା, ବିନତି ସାହୁ, ରବି ନାରାୟଣ ବାରିକ, ସୁରୁଚି ପ୍ରଧାନ, ପୀତାମ୍ବର ପ୍ରଧାନ ପ୍ରମୁଖ ବକ୍ତବ୍ୟ ଦେଇ ସ୍ମାର୍ଟ ମିଟର ବସାଇ ବିଦ୍ୟୁତ୍ ଉପଭୋକ୍ତା ମାନଙ୍କୁ କରାଯାଉଥିବା ଶୋଷଣକୁ ତୀବ୍ର ନିନ୍ଦା କରିଥିଲେ।

ଏ ଅବସରରେ ଟାଟା ପାୱାର ପକ୍ଷରୁ ବସାଯାଉଥିବା ସ୍ମାର୍ଟ ମିଟର ବନ୍ଦ କରିବା, ସମସ୍ତ ଘରୋଇ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ୩୦୦ ୟୁନିଟ ବିଦ୍ୟୁତ ମାଗଣାରେ ଯୋଗାଇ ଦେବା, ଘନ ଘନ ବିଦ୍ୟୁତ କାଟ ବନ୍ଦ କରିବା, ଆଠମଲ୍ଲିକ ଉପଖଣ୍ଡର ଡାକ୍ତରଖାନା ସମେତ କିଶୋରନଗର, ମାଧପୁର ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି, ଅଲଟ୍ରାସାଉଣ୍ଡ, ଏକ୍ସରେ ମେସିନ ସ୍ଥାପନ କରିବା ଆଦି ନେଇ ଦାବି କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳଙ୍କ ଜରିଆରେ ୧୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ ରମେଶ ଲୁହା, ସୁଶାନ୍ତ ପାତ୍ର, ଉମେଶ ମୁଣ୍ଡା, କିଶୋରୀ ପ୍ରଧାନ, ବସୁମତୀ ସାହୁ, ଜୟ ବେହେରା, ଦୀପକ ପ୍ରଧାନ, ଲକ୍ଷ୍ମୀ ପ୍ରଧାନଙ୍କ ସମେତ ଶତାଧିକ ଲୋକ ସାମିଲ ହୋଇ ଥିଲେ।