ଶିଶୁ ଭିକ୍ଷାବୃତ୍ତି ମୁକ୍ତ ହେବ ଓଡ଼ିଶା: ଜିଲ୍ଲାପାଳ ଓ ଏସପିଙ୍କୁ OSCPCRର ସ୍ୱତନ୍ତ୍ର ନିର୍ଦ୍ଦେଶ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସହରରେ ଶିଶୁ ଭିକ୍ଷାବୃତ୍ତିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR) ପକ୍ଷରୁ କଠୋର ନିର୍ଦ୍ଦେଶନାମା ଜାରି କରାଯାଇଛି। ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ସମସ୍ତ ଜିଲ୍ଲାପାଳ ଓ ପୋଲିସ ଅଧୀକ୍ଷକଙ୍କୁ ପ୍ରତି ଜିଲ୍ଲାରେ ଏକ ‘ଜିଲ୍ଲା ଟାସ୍କ ଫୋର୍ସ’ ଗଠନ କରିବାକୁ କହିଛନ୍ତି। ଏହି ଟିମ୍ ନିୟମିତ ଚଢ଼ାଉ କରି ଭିକ୍ଷାବୃତ୍ତିରେ ନିୟୋଜିତ ଶିଶୁମାନଙ୍କୁ ଉଦ୍ଧାର କରିବା ସହ ସେମାନଙ୍କ ଥଇଥାନ, ମାଗଣା ଶିକ୍ଷା ଓ ସ୍ୱାସ୍ଥ୍ୟସେବା ପାଇଁ ବ୍ୟବସ୍ଥା କରିବେ।ଉଦ୍ଧାର ହୋଇଥିବା ଶିଶୁମାନଙ୍କୁ ଶିଶୁ ମଙ୍ଗଳ କମିଟି (CWC) ଜରିଆରେ ଶିଶୁ ଯତ୍ନ କେନ୍ଦ୍ରରେ ରଖାଯିବ। ଜବରଦସ୍ତି ଶିଶୁଙ୍କୁ ଭିକ୍ଷାବୃତ୍ତିରେ ଲଗାଉଥିବା ଦଲାଲଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ପୋଲିସର ସ୍ୱତନ୍ତ୍ର ୟୁନିଟ୍ ଏହା ଉପରେ ନଜର ରଖିବେ। ଏଥିସହ ସର୍ବସାଧାରଣଙ୍କୁ ଚାଇଲ୍ଡ ହେଲ୍ପଲାଇନ ନମ୍ବରରେ ସୂଚନା ଦେବାକୁ ନିବେଦନ କରାଯାଇଛି ଏବଂ ପ୍ରତି ମାସରେ ଏହାର ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।