ଅନୁଗୋଳ: ବିରିୟାନି ଖାଇବା ପରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୨୦ରୁ ଊର୍ଦ୍ଧ୍ୱ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଖମାର ମେଡିକାଲରେ ଭର୍ତ୍ତି କରାଯାଇଛି। ଅସୁସ୍ଥଙ୍କ ମଧ୍ୟରେ ୪ ଜଣ ଶିଶୁ ରହିଥିବା ଜଣାପଡ଼ିଛି।
ଏଭଳି ଘଟଣା କଣିହାଁ ବ୍ଲକ ଭାଲିଆବେଡ଼ା ଗ୍ରାମରେ ଘଟିଛି।ସୂଚନା ଅନୁଯାୟୀ, ଗ୍ରାମର କିଛି ଲୋକ ମିଶି ବିରିୟାନି ପ୍ରସ୍ତୁତ କରି ଖାଇଥିଲେ। ତେବେ ଗତକାଲି ସନ୍ଧ୍ୟାରୁ ଜଣଙ୍କ ପରେ ଜଣେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ସହ ଅସୁସ୍ଥ ହୋଇପଡ଼ିଥିଲେ।
ଅସୁସ୍ଥଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଖମାର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ବିରିୟାନି ଖାଇବା ପରେ ଏକାଧିକ ଲୋକ ଏକାସାଙ୍ଗରେ ଅସୁସ୍ଥ ହୋଇଥିବାରୁ ଖାଦ୍ୟ ବିଷକ୍ରିୟା ହୋଇଥିବା ସନ୍ଦେହ ପ୍ରକାଶ ପାଇଛି। ତେବେ ଖାଦ୍ୟ ବିଷକ୍ରିୟା ନା ଅନ୍ୟ କୌଣସି କାରଣରୁ ଏଭଳି ଘଟଣା ଘଟିଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଘଟଣାକୁ ନେଇ ଭାଲିଆବେଡ଼ା ଗ୍ରାମରେ ଚିନ୍ତାର ବାତାବରଣ ଲାଗି ରହିଛି।