କ୍ରୀଡ଼ା

ସର୍ବଭାରତୀୟ ପବିତ୍ରନଗର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ: ବେଙ୍ଗାଲୁରୁକୁ ହରାଇ ଟ୍ରଫି ହାତେଇଲା ତାଳଚେର

By Angul TV Bureau

January 12, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ପବିତ୍ରନଗର ମିନି ଷ୍ଟାଡିୟମରେ ଚାଲିଥିବା ସର୍ବଭାରତୀୟ ପବିତ୍ରନଗର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଛି। ଏଥିରେ ତାଳଚେର ୟୁଥ କ୍ଲବ ଚାମ୍ପିୟନ ହୋଇଥିବା ବେଳେ ବେଙ୍ଗାଲୁରୁ ରନର୍ସ ଅପ ହୋଇଛି। ଫାଇନାଲ ମ୍ୟାଚରେ ଟସ୍ ଜିତି ବେଙ୍ଗାଲୁରୁ ବ୍ୟାଟିଂ କରି ୨୦ ଓଭରରେ ସମସ୍ତ ଓ୍ବିକେଟ ବିନିମୟରେ ୧୮୩ ରନ କରିଥିବା ବେଳେ ତାଳଚେର ଟିମ୍ ୨୫ତମ ଓଭରରେ ନିର୍ଦ୍ଧାରିତ ବିଜୟ ଲକ୍ଷ୍ୟ ହାସଲ କରି ଚାମ୍ପିୟନ ହୋଇଥିଲା। ମ୍ୟାନ ଅଫ ଦି ମ୍ୟାଚ ଭାବେ ତାଳଚେର ଟିମର ବଳରାମ ବେହେରା, ମ୍ୟାନ ଅଫ ଦି ସିରିଜ ଭାବେ ସହଦେବ ଦେହୁରୀ, ବେଷ୍ଟ ବ୍ୟାଟସ ମ୍ୟାନ ଭାବେ ବେଙ୍ଗାଲୁରୁ ଟିମର ବରୁଣ କୁମାର ପୁରସ୍କୃତ ହୋଇଛନ୍ତି। ଅମ୍ପାୟାର ଭାବେ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପାୟାର ସବ୍ୟସାଚୀ ସାହା ଓ ପ୍ରଣବ କିଶୋର ଗଡ଼ନାୟକ ଖେଳ ପରିଚାଳନା କରିଥିବା ବେଳେ ସୁବାଷ ବେହେରା କମେଣ୍ଟ୍ରି କରିଥିଲେ।

ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ସିଂ ଖୁଣ୍ଟିଆ, ସମ୍ମାନିତ ଅତିଥି ପାଳଲହଡା ବିଧାୟକ ଅଶୋକ କୁମାର ମହାନ୍ତି, ମୁଖ୍ୟ ବକ୍ତା ପର୍ଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, ବିଜେପି ନେତା ପ୍ରହ୍ଲାଦ ସାମଲ, ଗ୍ରାମ ସଭାପତି ରଘୁନାଥ ପ୍ରଧାନ ମଞ୍ଚାସୀନ ଥିଲେ। କ୍ଲବ ସଭାପତି ଅଜୟ ପ୍ରଧାନ ମଞ୍ଚରେ ସଭାପତିତ୍ବ କରିଥିବା ବେଳେ ପବିତ୍ରନଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ରମାକାନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ। ଟୁର୍ଣ୍ଣାମେଣ୍ଟ ଆୟୋଜନରେ କ୍ଲବର ସମ୍ପାଦକ ହିମାଂଶୁ ବେହେରା, ସହ ସମ୍ପାଦକ ଜ୍ଞାନ ରଞ୍ଜନ ଜ୍ୟୋତିଷଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଓ ଅତିଥିମାନେ ଷ୍ଟାଡିୟମରେ ନବ ନିର୍ମିତ କ୍ଲବ ଘର ଓ ପରାବିଲ ଗ୍ରାମରେ ନବ ନିର୍ମିତ ବନ ସୁରକ୍ଷା ସମିତି ଗୃହର ଉଦଘାଟନ କରିଥିଲେ।