ମୁଖ୍ୟ ଖବର

ପଦ୍ମଶ୍ରୀ କବି ରାଧାମୋହନଙ୍କ ଜୟନ୍ତୀ: କବିଙ୍କ ସାହିତ୍ୟରେ ପ୍ରାଚ୍ୟ ପାଶ୍ଚାତ୍ୟର ମିଳନ ଦେଖିବାକୁ ମିଳେ

By Biswaranjan Pattnaik

August 25, 2025

ଅନୁଗୁଳ: ପଦ୍ମଶ୍ରୀ କବି ରାଧାମୋହନ ଗଡ଼ନାୟକଙ୍କ ସୃଷ୍ଟି ସମ୍ଭାରରେ ଛନ୍ଦବଦ୍ଧତା ପାଠକଙ୍କୁ ଯଥେଷ୍ଟ ଆତ୍ମିକ ତୃପ୍ତି ଦେଇଥାଏ।କବିଙ୍କ ରାଶି ରାଶି ସୃଷ୍ଟିରୁ ବିଭିନ୍ନ ଉଦାହରଣ ଦେଇ ସେଥିରେ କିଭଳି ଶୃଙ୍ଗାର ଓ କରୁଣ ରସ ରହିଛି ତାହା ବର୍ଣ୍ଣନା କରିଥିଲେ ବିଶିଷ୍ଟ କବି ଅଶ୍ଵିନୀ କୁମାର ମିଶ୍ର।

କବି ରାଧାମୋହନ ଗଡ଼ନାୟକଙ୍କ ୧୧୪ ତମ ଜୟନ୍ତୀ ଅବସରରେ ଅନୁଗୁଳ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଆୟୋଜିତ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ରୂପେ  ଯୋଗ ଦେଇ ଶ୍ରୀ ମିଶ୍ର କବିଙ୍କ ସାରସ୍ଵତ ସମ୍ଭାରରେ ପ୍ରାଚ୍ୟ ପାଶ୍ଚାତ୍ୟ ର ମିଳନ ଦେଖିବାକୁ ମିଳେ ବୋଲି ପ୍ରକାଶ କରିଥିଲେ। ଅନେକ ଇଂରେଜ କବିଙ୍କ କବିତା ପୁସ୍ତକ ତାଙ୍କୁ ବିଶେଷ ପ୍ରଭାବିତ କରିଥିଲା। ଓଡ଼ିଶା ସାହିତ୍ୟ ଏକାଡେମୀ, ଅନୁଗୁଳ ସାହିତ୍ୟ ସଂସଦ, ଜିଲ୍ଲା ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ବିଶିଷ୍ଟ ଶିଶୁ ସାହିତ୍ୟିକ ଡ଼ା ସୁନାମଣି ରାଉତ କବି ଗଡ଼ନାୟକଙ୍କ କବିତାରେ ମା,ମାଟି,ପଶୁ ପକ୍ଷୀ,ଓ ଆଧ୍ୟାତ୍ମିକତା କିଭଳି ଭରି ରହିଥିଲା ତାହା ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଇଥିଲେ।

କବିଙ୍କ ଗାଥା ବା ଛାନ୍ଦ ସିକ ସୃଷ୍ଟି ସମ୍ଭାର ଓଡ଼ିଶା ସାହିତ୍ୟରେ ଅନନ୍ୟ ବୋଲି କହିଥିଲେ।ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାରୋହରେ ସମ୍ମାନିତ ଅତିଥି ରୂପେ ଅନୁଗୁଳ ମହାବିଦ୍ୟାଳୟର ଅଧ୍ୟକ୍ଷ ନୀଳାଞ୍ଚଳ ପଟେଲ ଯୋଗ ଦେଇ କବିଙ୍କ କାବ୍ୟ ପ୍ରତିଭାର ସ୍ମୃତି ଚାରଣ କରିଥିଲେ ଏକାଡେମୀର ସହ ସଚିବ ସଞ୍ଜୟ କୁମାର ଛୁଆଳସିଂହ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।

ସମାରୋହରେ କବିତା ଆବୃତ୍ତି ପ୍ରତିଯୋଗିତାର ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅନୁଗୁଳ ହାଇସ୍କୁଲର ଦିପ୍ତିପ୍ରୀୟଦର୍ଶନି ବିନ୍ଧାଣୀ ପ୍ରଥମ,ଡିଏଭି ପବ୍ଲିକ ସ୍କୁଲ କଳିଙ୍ଗର ସୋହାନି ସ୍ମୃତିକୃପା ଦ୍ଵିତୀୟ ଏବଂ ସାବିତ୍ରୀ ଜିନ୍ଦଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅର୍ଚ୍ଚନା ପ୍ରଧାନଙ୍କୁ ତୃତୀୟ ପୁରସ୍କାର ମିଳିଥିଲା।କବୟିତ୍ରୀ ଇନ୍ଦିରା ଦାସ ମଞ୍ଚ ସଂଯୋଜନା କରିଥିବା ବେଳେ ଯଦୁମଣି ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ସକାଳ ବେଳା ଅନୁଗୁଳ କଲେଜ ପ୍ରାଙ୍ଗଣରେ ଥିବା ରାଧାମୋହନ ପାର୍କରେ କବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।