ସ୍ୱତନ୍ତ୍ର

ଆତ୍ମନିର୍ଭର ପଥେ ଅନୁଗୁଳ: ଛତିଶଗଡ, ଝାରଖଣ୍ଡ ବଜାରରେ ପାଲଲହଡ଼ା ତରଭୁଜ

By Biswaranjan Pattnaik

April 08, 2022

ଅନୁଗୁଳ: ଅଣ୍ଡା, ମାଛ ପାଇଁ ଆନ୍ଧ୍ର,ଫଳ ମୂଳ ପାଇଁ ସିମଳା, ନାଗପୁର , କାଶ୍ମୀର, ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ବର୍ଷ ତମାମ ନିର୍ଭର କରୁଥିବା ଅନୁଗୁଳ ପାଇଁ ଆତ୍ମନିର୍ଭରଶୀଳତାର ପ୍ରତ୍ୟୟ ସୃଷ୍ଟି କରିଛନ୍ତି ପାଲଲହଡ଼ାର ପାଉଡ଼ି ଚାଷୀ। ଏହି ଚାଷୀଙ୍କ ନିଷ୍ଠା ଆତ୍ମପ୍ରତ୍ୟୟ ଯୋଗୁଁ ପାଲଲହଡ଼ା ଅଞ୍ଚଳରୁ ସ୍ଵାଦିଷ୍ଟ ତରଭୁଜ ଏବେ କଟକ,ଭବନେଶ୍ୱର ଠାରୁ ଆରମ୍ଭ କରି ଝାରଖଣ୍ଡର ରାଞ୍ଚି, ପଶ୍ଚିମବଙ୍ଗର କଲିକତା ଏବଂ ଛତିଶଗଡ ଅଞ୍ଚଳକୁ ବିକ୍ରି ପାଇଁ ପଠାଯାଉଛି। ମାତ୍ର ତିନି ବର୍ଷ ତଳେ ପାଉଡି ଭୂୟାଁ ଅଧ୍ୟୁଷିତ ପାଲଲହଡ଼ା ଉପଖଣ୍ଡର ବନ୍ଧାଭୁଇଁ ,ସିଗଡ, ବଡଶଢା, ଚସାଗୁରୁଜଙ୍ଗ ଅଞ୍ଚଳର ଚାଷୀମାନେ ଏହି ତରଭୁଜ ଚାଷ ଆରମ୍ଭ କରିଥିଲେ। ସହକାରୀ ଉଦ୍ୟାନ ଅଧିକାରୀ ସଞ୍ଜୟ ସୁବୁଦ୍ଧି କହନ୍ତି ଜୀବିକା ମିଶନର ମାର୍ଗଦର୍ଶନ ଏବଂ ଆଇଏଫଏଡିର ଆର୍ଥିକ ସହାୟତାରେ ଏହି ତରଭୁଜ ଚାଷ ଏବେ ସ୍ଥାନୀୟ ଚାଷୀଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିବା ସହ ସେମାନଙ୍କୁ ସ୍ୱଚ୍ଛଳ କରିପାରିଛି। ଏବେ ୪୦୦ ହେକ୍ଟର ଅଞ୍ଚଳରେ ତରଭୁଜ ଚାଷ କରାଯାଉଥିବାବେଳେ ସରକାର ପାଣି ପମ୍ପ ପାଇଁ ୭୦ ପ୍ରତିଶତ ସବସିଡି ଯୋଗାଇ ଦେଇଛନ୍ତି। କିଲୋ ପିଛା ୧୩ ଟଙ୍କା ଦରରେ ରାଜ୍ୟ ବାହାର ବେପାରୀମାନେ ଚାଷୀଙ୍କଠୁଁ ତରଭୁଜ କିଣୁଥିବା ଜଣାପଡିଛି। ଅନୁଗୁଳ ଉଦ୍ୟାନ କୃଷି ଇତିହାସରେ ଏହି ତରଭୁଜ ଚାଷ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି ।