ମୁଖ୍ୟ ଖବର

ପାଳଲହଡ଼ାରେ ଗର୍ଜିଲା ବିଜେଡି: ଦାବି ପୂରଣ ନହେବାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ, ଆନ୍ଦୋଳନ ଚେତାବନୀ

By Angul TV Bureau

May 13, 2026

ଅନୁଗୁଳ: ବିଭିନ୍ନ ଜନହିତକର ଦାବି ପୂରଣ ନହେବା ପ୍ରତିବାଦରେ ପାଳଲହଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୂର୍ବତନ ବିଧାୟକ ମୁକେଶ କୁମାର ପାଳଙ୍କ ନେତୃତ୍ୱରେ ଆୟୋଜିତ ଏହି ଆନ୍ଦୋଳନରେ ଶତାଧିକ କର୍ମୀ ଓ ସ୍ଥାନୀୟ ବାସିନ୍ଦା ସାମିଲ ହୋଇଥିଲେ।

ମୁଖ୍ୟତଃ, ପୂର୍ବ ସରକାରଙ୍କ ସମୟରେ ମଞ୍ଜୁର ହୋଇଥିବା ୪୩ କୋଟି ଟଙ୍କାର ରାସ୍ତା କାମକୁ ଉଦ୍ଦେଶ୍ୟମୂଳକ ଭାବେ ବନ୍ଦ କରାଯିବା, ଉପାନ୍ତ ଅଞ୍ଚଳରେ ‘ଲକ୍ଷ୍ମୀ ବସ’ ସେବା ପୁନଃ ଚାଲୁ କରିବା, ସୌର ଜଳ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ଏବଂ ସଲେଇ ଗ୍ରାମକୁ ବିଦ୍ୟୁତ ସଂଯୋଗ ଭଳି ଦାବି ନେଇ ୭ ଦିନ ପୂର୍ବେ ଦାବିପତ୍ର ଦିଆଯାଇଥିଲା। ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବାରୁ ଶେଷରେ ଦଳ ରାଜରାସ୍ତାକୁ ଓହ୍ଲାଇଛି।

ବ୍ଲକ ସଭାପତି ରଞ୍ଜିତ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭରେ ୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଶ୍ରୀ ପାଳ ଚେତାବନୀ ଦେଇଛନ୍ତି। ପରେ ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେବା ପରେ ବିକ୍ଷୋଭ ପ୍ରତ୍ୟାହୃତ ହୋଇଥିଲା। ଏଥିରେ ସ୍ଥାନୀୟ ଜନପ୍ରତିନିଧି ଓ ବରଡ଼ିହ-ନଗିରା ଅଞ୍ଚଳର ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ।