ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଅଞ୍ଚଳର କଳା, ସଂସ୍କୃତି ଓ ପରମ୍ପରାର ମହାକୁମ୍ଭ ‘ପାଳଲହଡ଼ା ମହୋତ୍ସବ’ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶନିବାର ଠାରୁ ସ୍ଥାନୀୟ ଷ୍ଟାଡିୟମ ପରିସରରେ ତିନି ଦିନ ଧରି ଏହି ଭବ୍ୟ ମହୋତ୍ସବ ଆୟୋଜିତ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ସାହର ମାହୋଲ ଦେଖାଦେଇଛି। ଏହି ଅବସରରେ ପାଳଲହଡ଼ା ଓ କଣିହାଁ ଅଞ୍ଚଳର ପ୍ରସିଦ୍ଧ ୭ଟି ଶୈବ ପୀଠରୁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ୨୭ ତାରିଖ ସକାଳ ୬ଟାରୁ ଖୁଲୁଡ଼ିର ବାବା ଗିରୀଶ୍ୱର ପୀଠ, ମଗରମୁହାଣ ଶିବ ମନ୍ଦିର, ମାଲ୍ୟଗିରି ପାଦଦେଶର ସମଳ ଶିବମନ୍ଦିର, ରଜଡ଼ଙ୍ଗ, ପବିତ୍ରପୁର, ରେଙ୍ଗାଳି ଦେବାହାଳି ରାମେଶ୍ଵର ଶିବମନ୍ଦିର ଏବଂ ସରଧାପୁରର ମା’ କନକେଶ୍ଵରୀ ଶକ୍ତି ପୀଠରୁ ମଶାଲ ଶୋଭାଯାତ୍ରା ବାହାରି ପାଳଲହଡ଼ା ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲା। ଶନିବାର ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ମାଧ୍ୟମରେ ଏହି ମଶାଲକୁ ମହୋତ୍ସବ ସ୍ଥଳକୁ ନିଆଯିବ।
ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଓ ପ୍ରାଶାସନିକ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସାଂସ୍କୃତିକ ସନ୍ଧ୍ୟାରେ ଓଲିଉଡ ଏବଂ ବଲିଉଡର ନାମୀଦାମୀ କଳାକାରଙ୍କ ସମେତ ସ୍ଥାନୀୟ ପ୍ରତିଭାମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିବେ। ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ବିଧାୟକ ଅଶୋକ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ଆବାହକ ତଥା ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲଙ୍କ ସହଯୋଗରେ ସମସ୍ତ ପ୍ରକାର ଆନୁଷଙ୍ଗିକ ପ୍ରସ୍ତୁତି ସମ୍ପନ୍ନ ହୋଇଛି।