ମୁଖ୍ୟ ଖବର

୨୮ରୁ ପାଳଲହଡ଼ା ମହୋତ୍ସବ: ୩ ଦିନ ଧରି ଜମିବ ସାଂସ୍କୃତିକ ଆସର

By Angul TV Bureau

March 10, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ସହରରେ ଆସନ୍ତା ମାର୍ଚ୍ଚ ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ‘ପାଳଲହଡ଼ା ମହୋତ୍ସବ’। ଏହି ମହୋତ୍ସବ ମାର୍ଚ୍ଚ ୨୮, ୨୯ ଏବଂ ୩୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଅନୁଷ୍ଠିତ ହେବ। ଏଥିପାଇଁ ସୋମବାର ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ, ଜିଲ୍ଲା ଓ ରାଜ୍ୟ ସ୍ତରୀୟ ପ୍ରଶାସନିକ ଅଧିକାରୀଙ୍କ ସମେତ ଓଲିଉଡ ଏବଂ ବଲିଉଡର ନାମୀଦାମୀ କଳାକାରମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ସ୍ଥାନୀୟ କଳାକାରଙ୍କ ଦ୍ୱାରା ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ଦିଆଯିବ।

ମହୋତ୍ସବର ସୁପରିଚାଳନା ପାଇଁ ବିଭିନ୍ନ କମିଟି ଗଠନ କରାଯାଇଛି ଏବଂ ସେମାନଙ୍କ ଦାୟିତ୍ୱ ସମ୍ପର୍କରେ ଉପଜିଲ୍ଲାପାଳ ଅବଗତ କରାଇଛନ୍ତି। ବିଶେଷ କରି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଉପଖଣ୍ଡ ପୋଲିସ ଅଧିକାରୀଙ୍କୁ ଗୁରୁ ଦାୟିତ୍ୱ ଅର୍ପଣ କରାଯାଇଛି। ଟ୍ରାଫିକ ନିୟନ୍ତ୍ରଣ, ପାନୀୟ ଜଳ ଯୋଗାଣ, ଆମ୍ବୁଲାନ୍ସ ସେବା, ଅଗ୍ନିଶମ ବାହିନୀର ପ୍ରସ୍ତୁତି ଏବଂ ଦର୍ଶକଙ୍କ ସୁବିଧା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଏହି ପ୍ରସ୍ତୁତି ବୈଠକରେ ବିଡ଼ିଓ ନିଶାନ ମିଶ୍ର, ତହସିଲଦାର ଆକାଂକ୍ଷା ମହାପାତ୍ର, ଏସଡିପିଓ କୈଳାଶ ଚନ୍ଦ୍ର ସେଠି, ବ୍ଲକ ଅଧ୍ୟକ୍ଷା ରୀନାରାଣୀ ନାୟକ, ସାଂସଦଙ୍କ ପ୍ରତିନିଧି ଲିଙ୍ଗରାଜ ଦାଶ, ବିଧାୟକଙ୍କ ପ୍ରତିନିଧି ତନ୍ମୟ କୁମାର ସାହୁ ଏବଂ ବିଜେପି ମଣ୍ଡଳ ସଭାପତି ଆଶିଷ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ବିଭିନ୍ନ ବିଭାଗର ଅଧିକାରୀ, ବରିଷ୍ଠ ନାଗରିକ, ଶିକ୍ଷାବିତ ଓ ସାମ୍ବାଦିକମାନେ ଯୋଗଦେଇ ମହୋତ୍ସବକୁ ସଫଳ କରିବା ପାଇଁ ନିଜର ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ।