ଘଟଣା ଓ ଦୁର୍ଘଟଣା

ନିୟମିତ ଆସୁ ନାହାନ୍ତି ସାର୍: ପ୍ରତିବାଦରେ ସ୍କୁଲରେ ତାଲା ପକାଇ ଧାରଣା ଦେଲେ ଅଭିଭାବକ ଓ ଛାତ୍ରଛାତ୍ରୀ

By Angul TV Bureau

January 29, 2025

ଅନୁଗୁଳ: ସାର ନିୟମିତ ଆସୁ ନ ଥିବାରୁ ସ୍କୁଲରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ। ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ଅନ୍ତର୍ଗତ କରଡ଼ାପାଳ ପଞ୍ଚାୟତ ମୁନିପାଳପୁର ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଆଜି ଏଭଳି ଘଟଣା ଘଟିଛି।

ଏଠାରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ପାଠ ପଢ଼ିବାର ସୁବିଧା ଥିବା ବେଳେ ବର୍ତ୍ତମାନ ୨୩ ଜଣ ପଢୁଛନ୍ତି। କିନ୍ତୁ ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷୟିତ୍ରୀ ଅଛନ୍ତି। ଶିକ୍ଷକ ଅଭାବ ଯୋଗୁଁ ୩ ମାସ ପୂର୍ବରୁ ପ୍ରକାଶ କୁମାର ଘଡେଇଙ୍କୁ ନିୟୋଜିତ କରାଯାଇଥିଲା। ମାତ୍ର ସେ ସପ୍ତାହକୁ ୩ ଦିନ ଆସୁଥିବା ବେଳେ ଅନ୍ୟଦିନ ଗୁଡିକରେ ସ୍କୁଲ ଆସନ୍ତି ନାହିଁ। ଏ ନେଇ ପ୍ରଧାନ ଶିକ୍ଷୟିତ୍ରୀ ପାଳଲହଡ଼ା ବ୍ଲକ ଶିକ୍ଷାଧିକାରୀଙ୍କୁ ଜଣାଇବା ସହ ଗ୍ରାମବାସୀ ମଧ୍ୟ ବ୍ଲକ ଶିକ୍ଷାଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବି ସାର୍ ଜାନୁଆରୀରେ ୧୫ ଦିନ ସ୍କୁଲ ଆସୁନାହାନ୍ତି। ଫଳରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାରେ ଅସୁବିଧା ହେଉଛି।

ଏହାର ପ୍ରତିବାଦରେ ବୁଧବାର ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ସ୍କୁଲ ଗେଟରେ ତାଲା ପକାଇ ଧାରଣାରେ ବସିଥିଲେ ଏବଂ ସମସ୍ୟାର ସମାଧାନ ନ ହେବାଯାଏ ଧାରଣାରୁ ଉଠିବେ ନାହିଁ ବୋଲି ପ୍ରକାଶ କରିଥିଲେ।ସିଆରସିସି ଆସି ବୁଝାସୁଝା କରିଥିଲେ ମଧ୍ୟ ଆନ୍ଦୋଳନ ହଟିନଥିଲା। ସନ୍ଧ୍ୟା ପର୍ଯ୍ୟନ୍ତ ଧାରଣା ଚାଲିଥିବା ଜଣାଯାଇଛି।