ଅନ୍ୟାନ୍ୟ

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ବୈଠକ

By Angul TV Bureau

January 18, 2022

ଅନୁଗୁଳ: ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ଓ ଆଦର୍ଶ ଆଚରଣ ବିଧି ପାଳନ କରିବା ନେଇ ସୋମବାର ଏକ ପ୍ରସ୍ତୁତି ବୈଠକ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ବିଶ୍ଵରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ତାଳଚେର ଏସଡିପିଓ, ଡେପୁଟି କଲେକ୍ଟର, ଆସିଷ୍ଟାଣ୍ଡ କଲେକ୍ଟର, ତାଳଚେର ଓ କଣିହାଁ ବ୍ଲକର ବିଡିଓ, ତହସିଲଦାର ଓ ସମସ୍ତ ଥାନାର ଅଧିକାରୀମାନେ ଉପସ୍ଥିତ ଥିଲେ । ଏଥିରେ ବିଭିନ୍ନ କଟକଣା ଓ ସରକାରୀ ନିର୍ଦେଶ ନେଇ ଆଲୋଚନା କରାଯାଇଥିଲା। ପଞ୍ଚାୟତ ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡିକ ସମାବେଶ, ପଦଯାତ୍ରା, ଭୋଜି ଇତ୍ୟାଦି କରି ପାରିବେ ନାହିଁ। କୌଣସି ରାଜନୈତିକ ଦଳ ଏହାକୁ ଅମାନ୍ୟ କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ରାତି ୯ଟା ପରେ କୌଣସି ରାଜନୈତିକ ଦଳ ବୈଠକ କିମ୍ବା ସଭା କରିପାରିବେ ନାହିଁ । ଏହା ତହସିଲଦାର, ବିଡିଓ ଏବଂ ଥାନା ଅଧିକାରୀମାନେ ତଦାରଖ କରିବେ । ଭୋଟରମାନଙ୍କୁ ପ୍ରଭାବିତ କରିବା ଭଳି ରହିଥିବା ବିଭିନ୍ନ ଯୋଜନା ସଂପର୍କିତ ହୋର୍ଡିଂ, ବ୍ୟାନରଗୁଡିକ ଆସନ୍ତା ଦୁଇ ଦିନ ମଧ୍ୟରେ ଉଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନିର୍ବାଚନ ସମୟରେ ଆଦର୍ଶ ଆଚରଣ ବିଧି ପାଳନ କରି କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା। କୌଣସି ସ୍ଥାନରେ ଏହାର ଉଲଂଘନ ହେଲେ ଏ ଦିଗରେ ତ୍ବରିତ ପଦକ୍ଷେପ ନିଆଯିବ। ଏଥିପାଇଁ ସମସ୍ତ ଅଧିକାରୀ ପ୍ରସ୍ତୁତ ରହିବାକୁ ଉପଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।